ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୮ମ ପ୍ରତିଷ୍ଠା ଦିବସ ପାଳନରେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ୬ ଜିଲ୍ଲାରୁ ଭାଗ ନେଲେ ୧୮୯ ବାଳିକା ୨୭ ବାଳକ
ଭଦ୍ରକ : ସରକାରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକ ପରିସରରେ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୮ମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମଣ୍ଡଳସ୍ତରୀୟ ପ୍ରତିଯୋଗିତା ଆୟୋଜନ ନେଇ ଦୁଇଦିନିଆ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏଥିରେ ୬ଟି ଜିଲ୍ଲାର ଆଦର୍ଶ ବିଦ୍ୟାଳୟର ୧୮୯ ବାଳିକା ଓ ୨୭ ବାଳକ ସମୁଦାୟ ୨୧୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି । ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ମିଶ୍ର, ନୋଡ଼ାଲ ଆଦର୍ଶ ବିଦ୍ୟାଳୟ ପଳାଶଗଡ଼ିଆର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ଼ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଆଗାମୀ ଉଜ୍ଜଳ ଭବିଷ୍ୟତ କାମନା କରି ଜଣେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ନରେନ୍ଦ୍ର କୁମାର ଦାସ ଏବଂ କାଦମ୍ବରୀ କରଶର୍ମା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ ,ପ୍ରଣୟ କୁମାର ନାୟକଙ୍କ ସହ ଗଙ୍ଗାଧର ସାହୁ, ବିଜୟ କୁମାର ଜେନା, ଆଦ୍ୟାଶା ମିଶ୍ର, ରଞ୍ଜନ କୁମାର ବେହେରା, ଅକ୍ଷୟ ହୋତା, ପ୍ରଦିପ୍ତ କୁମାର ଦାସ, ଚାରୁଲତା ମହାପାତ୍ର, ବୈକୁଣ୍ଠ ବିଶ୍ୱାଳ, ମନୋଜ ସାହୁ , ବନଲତା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଆନୁସଙ୍ଗିକ ସହଯୋଗ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲିର ଉଦ୍ଯାପନୀ ଉତ୍ସବରେ କୃତୀପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ଜୁନିଅର ଓ ସିନିଅର ଦଳ ମଧ୍ୟରେ ଆଜି ଏକକ, ଦଳଗତ ଲୋକ ନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦ୍ଯାପନୀ ଦିନ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, କ୍ୱିଜ୍, ତର୍କ, ଆବୃତ୍ତି, ଏକକ ସଙ୍ଗୀତ ଗାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ସୂଚନାଯୋଗ୍ୟକି ଆଜି ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରରୁ ୮ ବାଳକ ୨୫ ବାଳିକା, ଭଦ୍ରକରୁ ୪ ବାଳକ ୨୮ ବାଳିକା, ଢେଙ୍କାନାଳରୁ ୫ ବାଳକ ୩୩ ବାଳିକା, ଯାଜପୁରରୁ ୨ ବାଳକ ୩୪ ବାଳିକା, କେନ୍ଦୁଝରରୁ ୧ ବାଳକ ୩୮ ବାଳିକା, ମୟୂରଭଞ୍ଜରୁ ୭ ବାଳକ ୩୧ ବାଳିକା ଅଂଶଗ୍ରହଣ କରିଥିଲେ ।
