ଭବ୍ୟ ପରିବେଶ ମଧ୍ୟରେ ବାଲିଆପାଳରେ ପହଞ୍ଚିଲା ଅହିଂସା ରଥ
ବାଲିଆପାଳ : ବାଲିଆପାଳରେ ବୁଧବାର ଅପରାହ୍ନ ୨ଟା ସମୟରେ ଏକ ଭବ୍ୟ ପରିବେଶ ମଧ୍ୟରେ ଅହିଂସା ରଥ ପହଞ୍ôଚଥିଲା । ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ହରିନାମ ସଂକୀର୍ତ୍ତନର ଏକ ଭକ୍ତିମୟ ପରିବେଶ ମଧ୍ୟରେ ସିମୁଳିଆ ଛକ ନିକଟରୁ ବାଲିଆପାଳ ପ୍ରଶାସନ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସହିତ ଅଙ୍ଗନୱାଡ଼ି କର୍ମୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ମାନେ ରଥକୁ ବନ୍ଦାପନା କରିବା ସହିତ ଭଜନ କୀର୍ତ୍ତନ ତାଳେତାଳେ ପୁଷ୍ପ ପାଖୁଡ଼ାରେ ସ୍ୱାଗତ କରିଥିଲେ ।
ପରେ ବିରାଟ ଭକ୍ତିମୟ ପଟୁଆରରେ ରଥକୁ ବାଲିଆପାଳ ବ୍ଲକକୁ ନିଆଯାଇ ସେଠାରେ ବ୍ଲକ ପ୍ରଶାସନ ପକ୍ଷରୁ ରଥକୁ ସ୍ୱାଗତ କରାଯାଇ ବାଲିଆପାଳ ପରିକ୍ରମା କରାଯାଇ ସୁବର୍ଣ୍ଣରେଖା ହାଇସ୍କୁଲକୁ ନିଆଯାଇଥିଲା । ସେଠାରେ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ତହସିଲର ସମସ୍ତ କର୍ମଚାରୀ, ବାଲିଆପାଳ ବ୍ଲକର ପ୍ରଶାସନର ସମସ୍ତ କର୍ମଚାରୀ, ବାଲିଆପାଳ ହାଇସ୍କୁଲର ସାଧାରଣ ଛାତ୍ରୀଛାତ୍ର ସହିତ ଏନ୍ସିସି ଛାତ୍ରୀଛାତ୍ର, ବାଲିଆପାଳ ବାଳିକା ବିଦ୍ୟାଳୟର ଛାତ୍ରୀ, ସୁଲୋଚନା ମହିଳା ମହାବିଦ୍ୟାଳୟର ଛାତ୍ରୀ, ବାଲିଆପାଳ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଯୋଗେ ଦେଇଥିଲେ । ଏଥିସହିତ ବିଜେଡି ଦଳର ବିଭିନ୍ନ ନେତୃବୃନ୍ଦ ସହିତ ବହୁ ରାଜନେତା ଯୋଗ ଦେଇଥିଲେ ।
