ତଥ୍ୟ ଦେବାରେ ବିଳମ୍ବ ନେଇ ଯାଜପୁର ପୈାର ଯନ୍ତ୍ରୀଙ୍କୁ ୨୫ହଜାର ଟଙ୍କା ଜରିମାନା
ଯାଜପୁର : ଯାଜପୁର ପୈାର ପାଳିକାରେ ସୂଚନା ଅଧିକାର ଆଇନ୍ ବଳରେ ସୂଚନା ଦେବା ପାଇଁ ବିଳମ୍ବ ଘଟିବାରୁ ପୈାର ପାଳିକାର ଯନ୍ତ୍ରୀଙ୍କ ଉପରେ ୨୫ହଜାର ଟଙ୍କା ଜରିମାନା ଆଦାୟ ପାଇଁ ସୂଚନା କମିଶନର ସଦସ୍ୟ ଦିଲିପ ବିଶୋଇ ଏକ ମାମଲାର ଚୂଡ଼ାନ୍ତ କରି ରାୟ ପ୍ରଦାନ କରିଛନ୍ତି । ଯାଜପୁର ପୈାର ପାଳିକାରେ ହୋଇଥିବା ବିବିଧ କାର୍ଯ୍ୟ ସମ୍ପର୍କରେ ୨୦୧୮ ମସିହାରେ ସର୍ବେଶ୍ୱର ବେହୁରା ନାମକ ଜନୈକ ବ୍ୟକ୍ତି ସୂଚନା ଅଧିକାର ଆଇନ୍ ଅନୁଯାୟୀ ପୈାର କାର୍ଯ୍ୟାଳୟରେ ଆବେଦନ କରିଥିଲେ । ପୈାର ପାଳିକାର ଜନ ସୂଚନା ଅଧିକାରୀ ଏହି ତଥ୍ୟ ତାଙ୍କୁ ଦେଇ ପାରିନଥିଲେ । ଶ୍ରୀ ବେହୁରା ଏଥିନେଇ ରାଜ୍ୟ ସୂଚନା କମଶନରଙ୍କ ଦ୍ୱାରସ୍ଥ ହୋଇଥିଲେ । କମିଶନର ଏହାକୁ ଗ୍ରହଣ କରି ମଇ ମାସ ୨୦ତାରିଖରେ ଶୂଣାଣୀ କରିଥିଲେ । ପୈାର ପ୍ରଶାସନ ତଥ୍ୟ ଦେବାରେ ଅକ୍ଷମତା ପ୍ରକାଶ କରିଥିଲେ । ସେପ୍ଟେମ୍ବର ୧୨ ତାରିଖରେ ସୂଚନା ଅଧିକାର ସଦସ୍ୟ ଶ୍ରୀ ବିଶୋଇଙ୍କ ଇଜିଲାସ୍ରେ ଶୁଣାଣୀ କରାଯାଇଥିଲା । ସେଠାରେ ଚୂଡ଼ାନ୍ତ ଶୁଣାଣୀରେ ପୈାରପାଳିକାର ଯନ୍ତ୍ରୀ ହୀରକ ସିଂଠିକ୍ ସମୟରେ ତଥ୍ୟ ଦେଇନଥିବା ସ୍ପଷ୍ଟ ହୋଇଥିବା ନେଇ ତାଙ୍କୁ କମିଶନର ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାଜପୁର ସହରର କୁସୁମା ପୋଖରୀ ସୈାନ୍ଦର୍ଯ୍ୟ କରଣ ଖର୍ଚ୍ଚ, ଏହି ଅର୍ଥ କେଉଁ ପାଣ୍ଠିରୁ ଆସିଥିବା, ଯାଜପୁର ସହରରେ ଆବାସ ବଂଟନ, ଡ଼୍ରେନେଜ ଓ ମାର୍କେଟ କମ୍ଲେକ୍ସ ସମ୍ପର୍କିତ ତଥ୍ୟ ଗୁଡ଼ିକ ଜାଣିବା ପାଇଁ ଶ୍ରୀ ବେହୁରା ଆବେଦନ କରିଥିଲେ ।
