ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫିସ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଦାବିପତ୍ର ପ୍ରଦାନ
ବାଲେଶ୍ୱର : ଏଆଇଡିଏସଓ ଓଡ଼ିଶା ରାଜ୍ୟ କମିଟି ଆହ୍ୱାନ କ୍ରମେ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫିସ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ସାରା ରାଜ୍ୟରେ ପ୍ରତ୍ୟେକ ଜିଲାରେ ବୁଧବାର ପ୍ରତିବାଦ କାର୍ଯକ୍ରମ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଶାଖା ଅଫିସ୍ରେ ଏକ ଦାବୀ ପତ୍ର ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
ରାଜ୍ୟରେ ଅନେକ ପରିବାର ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରନ୍ତି । ଅନ୍ୟଦିଗରେ କରୋନା ମହାମାରୀ ପରେ ରାଜ୍ୟର ଜନସାଧାରଣଙ୍କ ଅବସ୍ଥା ଆତ୍ୟନ୍ତ ଦୟନୀୟ ହୋଇପଡ଼ିଛି । ଲକ୍ଷ ଲକ୍ଷ ଲୋକ ନିଜର କାର୍ଯ୍ୟ ହରାଇଛନ୍ତି । ଏହି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାର ସମ୍ପୂର୍ଣ୍ଣ ଦାୟିତ୍ୱ ସରକାର ନେବା କଥା, ମାତ୍ର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଦଶମ ଶ୍ରେଣୀ ପ୍ରଥମ ସମେଟିଭ୍ ପରୀକ୍ଷା ଫର୍ମ ପୂରଣ କରିବା ପାଇଁ ୪୨୦ ଟଙ୍କା ଫିସ ଆଦାୟ ନିଷ୍ପତ୍ତି ହୋଇଛି । ଯାହା ଫଳରେ ବହୁତ ଗରୀବ ଘରର ଛାତ୍ରଛାତ୍ରୀ ଟଙ୍କା ଅଭାବରୁ ଫର୍ମ ପୂରଣ କରିନପାରି ପରୀକ୍ଷା ଦେବାରୁ ବଞ୍ôଚତ ହେବେ । ସମେଟିଭ୍ ପରୀକ୍ଷା ଅଳରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଖରୁ ୪ ଥର ଫିସ୍ ଆଦାୟ କରାଯିବ । ଏଭଳି ଫିସ୍ ଆଗରୁ ଆଦାୟ କରାଯାଉ ନ ଥିଲା । ଚଳିତ ବର୍ଷ ପାଖରୁ ଏଭଳି ଫିସ ଆଦାୟ ଅତ୍ୟନ୍ତ ନିନ୍ଦନୀୟ । ଏଣୁ ତୁରନ୍ତ ଦଶମ ଶ୍ରେଣୀ ସମେତିଭ୍ ପରୀକ୍ଷା ଫିସ ଆଦାୟ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ସହ ଛାତ୍ରଛାତ୍ରୀଙ୍କର ମାଗଣାରେ ଫର୍ମ ପୂରଣ କରାଇବା ଓ ସମେଟିଭ ପରୀକ୍ଷା ଅଳରେ ନବମ ଓ ଦଶମ ଶ୍ରେଣୀରେ ୪ ଥର ଫର୍ମ ପୂରଣ ଫିସ ଆଦାୟ ବନ୍ଦ କରିବା ପାଇଁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ କମିଟି ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରଶାନ୍ତ କୁମାର ଦାସ, ରାଜ୍ୟ କମିଟି ସଦସ୍ୟ ଅସ୍ମାନ ରାଜ ତଥା ଆଞ୍ଚଳିକ କମିଟି ସଦସ୍ୟ ରୁଦ୍ର ମୃତୁଞ୍ଜୟ ସେନାପତି ଓ ମୁକ୍ତି କାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
