ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ! ମହଙ୍ଗା ଭତ୍ତାରେ ବୃଦ୍ଧି ପୂର୍ବରୁ ସରକାର କଲେ ଏହି ବଡ଼ ଘୋଷଣା
ନୂଆଦିଲ୍ଲୀ : ଯଦି ଆପଣ ନିଜେ କିମ୍ବା ଆପଣଙ୍କ ଘରେ କେହି କେନ୍ଦ୍ର କର୍ମଚାରୀ ଅଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଦୀର୍ଘ ଦିନ ଧରି କର୍ମଚାରୀମାନେ ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା କରି ବସିଛନ୍ତି । ଏହି ସମୟରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ସରକାର ଏକ ବଡ ଉପହାର ପ୍ରଦାନ କରିଛନ୍ତି । ଆଜ୍ଞା ହଁ, କେନ୍ଦ୍ରର ମୋଦି ସରକାର ପାର୍ବଣ ଋତୁରେ ଜୁଲାଇର ମହଙ୍ଗା ଭତ୍ତା ବୃଦ୍ଧି କରିବା ଘୋଷଣା ପୂର୍ବରୁ କର୍ମଚାରୀମାନଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି । ନୂତନ ନିୟମ ଅନୁଯାୟୀ, କେନ୍ଦ୍ର ସରକାରୀ କର୍ମଚାରୀମାନେ ଯାତ୍ରା / ତାଲିମ / ଟ୍ରାନ୍ସଫର/ ଅବସର ସମୟରେ ତେଜସ ଏକ୍ସପ୍ରେସ ମାଧ୍ୟମରେ ଯାତ୍ରା କରିପାରିବେ । ତେଜସ ଏକ୍ସପ୍ରେସରେ ଯାତ୍ରା କରିବାକୁ ଶତାବ୍ଦୀ ଟ୍ରେନର ବରାବର ହିଁ ମନେ କରାଯିବ ।
ସେପ୍ଟେମ୍ବର ୧୨ରେ ବ୍ୟୟ ବିଭାଗ ତରଫରୁ ଜାରି କରାଯାଇଥିବା ଅଫିସ ଅଫ୍ ମେମୋରେଣ୍ଡମରେ ଏହା ସମ୍ବନ୍ଧୀୟ ସୂଚନା ଦିଆଯାଇଛି । ଅଫିସ୍ ଅଫ୍ ମେମୋରେଣ୍ଡମରେ ତେଜସ୍ ଏକ୍ସପ୍ରେସ୍ ଯାତ୍ରା କରିବାକୁ ସହମତି ଦିଆଯାଇଛି । କେନ୍ଦ୍ର ସରକାର ମଧ୍ୟ ଏହାର ଅନୁମୋଦନ ଦେଇଛନ୍ତି । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ଯାତ୍ରା / ଟ୍ରେନିଂ/ଟ୍ରାନ୍ସଫର / ଅବସର ସମୟରେ ତେଜସ୍ ଏକ୍ସପ୍ରେସ ଦ୍ୱାରା ଯାତ୍ରା କରିବାକୁ ସମର୍ଥ ହେବେ । ଏଠାରେ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗର ସୁପାରିଶରେ ଭ୍ରମଣ ଭତ୍ତା ସମ୍ବନ୍ଧୀୟ ସୂଚନା କେନ୍ଦ୍ରୀୟ ନାଗରିକ ସେବା (ସଂଶୋଧିତ ଦେୟ) ନିୟମ, ୨୦୧୬ରେ ଉଲ୍ଲେଖ କରାଯାଇଛି ।
୨୦୧୭ ଅଫିସ୍ ଅଫ୍ ମେମୋରେଣ୍ଡମ ଅନୁଯାୟୀ, ସରକାରୀ କର୍ମଚାରୀଙ୍କୁ ପ୍ରିମିୟମ୍ ଟ୍ରେନ୍ / ପ୍ରିମିୟମ୍ ତତ୍କାଳ ଟ୍ରେନ୍ / ସୁବିଧା ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ବିଭାଗ ପ୍ରିମିୟମ୍ ତତ୍କାଳର ଚାର୍ଜ ଓ ଅଫିସିଆଲ୍ ଟୁର୍ / ଟ୍ରେନିଂ ସମୟରେ ଶତାବ୍ଦୀ / ରାଜଧାନୀ / ଦୁରନ୍ତୋ ଟ୍ରେନରେ ଡାଇନାମିକ୍ / ଫ୍ଲେକ୍ସି ଟିକେଟ୍ ଫେରସ୍ତ ପାଇଁ ଅନୁମତି ଦେଇଥିଲା ।
