ବ୍ୟାସନଗରରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ଯାଜପୁର : ବ୍ୟାସନଗର ପୌରପାଳିକା ସମ୍ମିଳନୀ ଗୃହରେ ସୋମବାର ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହରାଠୋର ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକ୍ରିୟାରେ କରିବାକୁ ପରାମର୍ଶ ଦେଇଥିଲେ । ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାକୁ ମୁକ୍ତ ଏବଂ ଖୋଲାଖୋଲି ଭାବେ ପ୍ରକାଶ କରିବାକୁ ଉତ୍ସାହିତ କରିବା ଏବଂ ଏକ ଦକ୍ଷ ଓ ପ୍ରଭାବଶାଳୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ । ଫଳରେ ପ୍ରଶାସନ ଲୋକମାନଙ୍କ ଅଭିଯୋଗ ଗୁଡିକୁ ସମାଧାନ କରି ପରିଚାଳନାରେ ସ୍ୱଚ୍ଛତା, ସ୍ଥିରତା ଏବଂ ନ୍ୟାୟିକ ବ୍ୟବସ୍ଥାକୁ ଉତ୍ସାହିତ କରି ପାରିବ । ତେଣୁ ପ୍ରତ୍ୟେକ ଦାୟିତ୍ୱର ସହ ଏହାକୁ ନିର୍ବାହ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏହି ଶୁଣାଣିରେ ମୋଟ ୧୨୮ ଗୋଟି ଅଭିଯୋଗ ମଧ୍ୟରୁ ୧୦୭ ଗୋଟି ବ୍ୟକ୍ତିଗତ, ୪ ଗୋଟି ସାମୁହିକ, ୮ ଗୋଟି ରେଡକ୍ରସ ସହାୟତା ପାଇଁ ଓ ମୁଖ୍ୟମନ୍ତ୍ରୀ ରିଲିପ ପାଂଠିରୁ ସହାୟତା ପାଇଁ ୯ଗୋଟି ଆବେଦନ ପତ୍ର ମିଳିଥିଲା । ଇନ୍ଦିରା ଆବାସ, ମୋ କୁଡିଆ, ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା, ଜମିଜମା ସମ୍ୱନ୍ଧୀୟ, ଇତ୍ୟାଦି ସଂପର୍କରେ ଏହି ଅଭିଯୋଗ ଗୁଡିକ ପଂଜିକୃତ ହୋଇଥିଲା । ତତ୍କ୍ଷଣାତ୍ ୩୨ ଗୋଟି ଆବେଦନର ସମାଧାନ କରାଯାଇଥିଲା । ପ୍ରକାଶ ଥାଉକି ଆଗାମୀ ୧୯ତାରିଖ ସୋମବାର ବିଞ୍ଝାରପୁର ବ୍ଲକ ଏବଂ ୨୬ତାରିଖ ସୋମବାର କୋରେଇ ବ୍ଲକ କାର୍ଯ୍ୟାଳୟ ଠାରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ ।ଏହି ଶିବିରରେ ଜିଲ୍ଳ୍ା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ କର୍ଳିଙ୍ଗନଗର ସନ୍ତୋଷ କୁମାର ମିଶ୍ର, ଜିଲ୍ଳ ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତିଳୋତ୍ତମା ପୃଷ୍ଟି, ଓ ଜିଲ୍ଳ୍ାର ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
