ବନ୍ଧୁଙ୍କ ପତ୍ନୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
ଦେବଗଡ଼ : ବନ୍ଧୁ ସାଜିଲା ବଇରୀ । ବନ୍ଧୁ ପତ୍ନୀଙ୍କୁ ଘରେ ଏକୁଟିଆ ପାଇ ବଳପୂର୍ବକ ଦୁଷ୍କର୍ମ କରିଥିବା ନେଇ ଦେବଗଡ଼ ଜିଲା ବାରକୋଟ ଥାନାରେ ଅଭିଯୋଗ ହୋଇଥିଲା । ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି ।
ମିଳିଥିବା ରିପୋର୍ଟ ମୁତାବକ, ବାରକୋଟ ଥାନା ଅନ୍ତର୍ଗତ କିସାନ ଗୟଳମରା ଗ୍ରାମରେ ଗତ ଶୁକ୍ରବାର ରାତିରେ ଗ୍ରାମବାସୀମାନେ କରମା ପର୍ବ ପାଳନରେ ମସଗୁଲ ଥିଲେ । ଏହି ସମୟରେ ବୈରାଗୀ କିସାନଙ୍କ ୧୯ ବର୍ଷୀୟା ସ୍ତ୍ରୀ ଏକୁଟିଆ ଶୋଇଥିବାର ସୁଯୋଗ ନେଇ ତାଙ୍କ ବନ୍ଧୁ ବିକାଶ କିସାନ ଘରେ ପଶି ବଳପୂର୍ବକ ଦୁଷ୍କର୍ମ କରିଥିଲା । ପୀଡ଼ିତା ଚିତ୍କାର କରିବାରୁ ଘର ବାରଣ୍ଡାରେ ଶୋଇଥିବା ତାଙ୍କ ଶାଶୁ ନିଦରୁ ଉଠିପଡ଼ିବାରୁ ବିକାଶ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲା । ଏନେଇ ପରିବାର ଲୋକଙ୍କ ସହ ପୀଡ଼ିତା ରାତିରେ ପୁଲିସ ନିକଟରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗତକାଲି ବାରକୋଟ ପାଲଲହଡ଼ା ସୀମାନ୍ତରୁ ଗିରଫ କରାଯାଇ ଥିବାବେଳେ ଆଜି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି ।
