ଅମର୍ଦ୍ଦା ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ ପାଇଁ ରାସଗୋବିନ୍ଦପୁରରୁ ରାଜଭବନ ପଦଯାତ୍ରା
ବାଲେଶ୍ୱର : ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲାର ବିଭିନ୍ନ ଦାବିକୁ ନେଇ ଉତ୍ତରଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲାର ଜାଗ୍ରତ ପ୍ରହରୀ ଭଞ୍ଜସେନା, ବାଲେଶ୍ୱର ଜିଲାର ଅଗ୍ରଣୀ ଗଣ ସଂଗଠନ ଭଏସ ଅଫ ବାଲେଶ୍ୱର ଓ କେନ୍ଦୁଝର ଡେଭଲେପମେଣ୍ଟ କାଉନସିଲ ମିଳିତ ଉଦ୍ୟମରେ ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ କାର୍ଯ୍ୟ କରୁଛି । ଏଥିରେ ବିଶେଷ କରି ଅମର୍ଦ୍ଦା ଏୟାର ଷ୍ଟ୍ରିପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ ରାସଗୋବିନ୍ଦପୁରରୁ ରାଜଭବନ ପର୍ଯ୍ୟନ୍ତ ଅକ୍ଟୋବର ୧୧ ରୁ ଏକ ପଦଯାତ୍ରା ଆୟୋଜିତ ହେବ । ଏହାସହ ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖ ଅର୍ଥାତ ଜାତୀୟ ଯୁବ ଦିବସ ଅବସରରେ ଉତ୍ତର ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଓ ଆତ୍ମନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ‘ପର୍ଯ୍ୟଟନ ବିକାଶ ରଥ\’ ଆରମ୍ଭ କରାଯିବ । ସେହିପରି ଚଳିତବର୍ଷ ନଭେମ୍ବର ୧୩ ତାରିଖରେ ପର୍ଯ୍ୟଟନ ପରିଷଦ ପକ୍ଷରୁ ବାଲେଶ୍ୱର ଠାରେ ଏକ ଜିଲା ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି ।
ଏହି ଅବସରରେ ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦର ସଭାପତି କଳିଙ୍ଗ କେଶରୀ ଜେନା ଯୋଗଦେଇ କହିଥିଲେ ଯେ, ଉତ୍ତର ଓଡ଼ିଶାରୁ ରାଷ୍ଟ୍ରପତିଙ୍କ ସହ ଜଣେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ, ଜଣେ କେନ୍ଦ୍ର ମନ୍ତ୍ରୀ ଏବି ଅନ୍ୟ ଜଣେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମଧ୍ୟ ରହିଛନ୍ତି । ହେଲେ ଉତ୍ତର ଓଡ଼ିଶାରେ ଆଖିଦୃଶିଆ ଉନ୍ନତି ହୋଇପାରିନି । ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲାରେ ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଆଖିଦୃଶିଆ ଉନ୍ନତି ହୋଇପାରିନଥିବା ବେଳେ ମୟୂରଭଞ୍ଜ ଜିଲାର ରାସଗୋବିନ୍ଦପୁର ସ୍ଥିତ ଅମର୍ଦ୍ଦା ଏୟାର ଷ୍ଟ୍ରିପ୍ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରି ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ରାସଗୋବିନ୍ଦପୁର ଏୟାରଷ୍ଟ୍ରିପକୁ କେନ୍ଦ୍ର ସରକାର ଉଡାଣ ଯୋଜନାରେ ସାମିଲ କରିଛନ୍ତି । ତେବେ ଏହା କେବେ କାର୍ଯ୍ୟକ୍ଷମ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାବ୍ୟତୀତ ରାଜପଥ ଓ ରେଳପଥ ସମ୍ପ୍ରସାରଣ ହେଲେ ଆଞ୍ଚଳିକ ପର୍ଯ୍ୟଟନ ବିକାଶ ହୋଇ ପାରିବ ବୋଲି କହିଥିଲେ । ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦର ଆବାହକ ଡ. ସନ୍ଦୀପ ପଟ୍ଟନାୟକ, ପରିଷଦର କାର୍ଯ୍ୟକାରୀ ସଭାପତି ଅରିଜିତ ଘୋଷାଲ, ଉପସଭାପତି ରଣଜିତ ପଣ୍ଡା, ସମ୍ପାଦକ ଗୌତମ ସେଠୀ, ସାଂଗଠନିକ ସମ୍ପାଦକ ଚନ୍ଦନ ଶତପଥୀ ଏବଂ ଉପଦେଷ୍ଟା ଅସିତ କୁମାର ଦାସ ଉପସ୍ଥିତ ଥିଲେ ।
