ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଚୋରୀ ଘଟଣା,୫ ଅଟକ
ବ୍ରହ୍ମପୁର : ଟାଉନ ଥାନା ଅନ୍ତର୍ଗତ ସୋମନାଥ ନଗର ତୃତୀୟ ଲାଇନ ଠାରେ ରହୁଥିବା ଅବାସରପ୍ରାପ୍ତ ସେନା କର୍ମଚାରୀ ଶିଶିର ପାତ୍ରଙ୍କ ଘରୁ ୬୦ତୋଳା ସୁନା ଗହଣା ସହ ନଗଦ ୧୧ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଗତ ୫ତାରିଖରେ ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଥିଲା । ଆଜି ଏହି ଘଟଣାରେ ଟାଉନ ଥାନା ପୁଲିସ ୫ଜଣ ଯୁବକକୁ ଉଠେଇ ଆଣି ଥାନାରେ ଅଟକ ରଖି ପଚାରଉଚାର କରିଥିବା ଜଣାପଡିଛି । ସୂଚନାଯୋଗ୍ୟ କି ଅବସରପ୍ରାପ୍ତସେନା କର୍ମଚାରୀ ଶିଶିର ପାତ୍ର ଏବଂ ତାଙ୍କ ଅବିବାହିତ ଭଉଣୀ ସୁଲୋଚନା ପାତ୍ର ସୋମନାଥ ନଗର ତୃତୀୟ ଲାଇନରେ ରହୁଛନ୍ତି । କିଛି ଦିନ ପୂର୍ବେ ଶିଶିରଙ୍କ ବାପା କ୍ଷେତ୍ରବାସୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଇଁ ସାନ ଭଉଣୀ ସୁଜାତା ସୋମନାଥ ନଗର ଘରକୁ ଆସିଥିଲେ । ଶ୍ରାଦ୍ଧ ବାର୍ଷିକୀ ସରିବା ପରେ ସାନ ଭଉଣୀ ସୁଜାତାକୁ ଛାଡିବା ପାଇଁ ଅଗଷ୍ଟ ୨୯ତାରିଖରେ ଘରେ ତାଲା ପକାଇ ଶିଶିର ,ଭଉଣୀ ସୁଲୋଚନା ଭୁବନେଶ୍ୱର ଯାଇଥିଲେ । ସେପ୍ଟେମ୍ବର ୨ ତାରିଖରେ ଶିଶିରଙ୍କ ସମ୍ପର୍କୀୟ ପୁତୁରା ସୁମୀତ ପାତ୍ର ଶିଶିରଙ୍କ ସୋମନାଥ ନଗର ଘରେ ଲାଇଟ ଲାଗିଥିବା ଦେଖି ତାଙ୍କୁ ଖବର ଦେଇଥିଲେ । ପରେ ୫ତାରିଖ ସକାଳେ ଘର ସମ୍ମୁଖରେ ରାହୁଥିବା ଜଣେ ବ୍ୟକ୍ତି ତାଙ୍କ ଘରେ ଲାଇଟ ଲାଗିବା ସହ ଘର କବାଟ ଖୋଲାଥିବା ସୁଲୋଚନାଙ୍କୁ ଜଣାଇଥିଲେ । ପରେ ଶିଶିର ଓ ସୁଲୋଚନା ଭୁବନେଶ୍ୱରରୁ ବ୍ରହ୍ମପୁର ଆସି ନିଜ ଘରେ ପହଞ୍ଚି ଦେଖିବା ବେଳକୁ ଉପର ଓ ତଳ ମହଲାର ଉଭୟ କବାଟର ତାଲା ଭଙ୍ଗା ଯାଇଥିଲା । ଘର ଭିତରେ ଥିବା ଆଲମୀରା, ଟିଣ ବକ୍ସ, ଠାକୁର ଘର, ଆଟାଚି, ଶୋଇବା ଘରର କାନ୍ଥ ଆଲମୀରା ଭଙ୍ଗା ଯାଇଥିବା ବେଳେ ଆବସପତ୍ର ଛୀନଛତ୍ର ହୋଇ ପଡ଼ିଥିଲା । ଯାଞ୍ଚ ପରେ ପ୍ରାୟ ନଗଦ ୧୧ ଲକ୍ଷ ଟଙ୍କା ସହ ୬୦୦ ଗ୍ରାମ ଓଜନର ସୁନା ଅଳଙ୍କାର ୫୦୦ ଗ୍ରାମ ରୂପା ଅଳଙ୍କାର ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ । ଚୋରି ସୁନା ଅଳଙ୍କାର ଭିତରେ ୪୦ ଗ୍ରାମ ଓଜନର ଗୋଟିଏ ବିସ୍କୁଟ, ୧୦ଟି ଚେନ, ୨ଟି କଏନ, ୩ଟିହାର, ୫ ଯୋଡା କାନଫୁଲ, ୮ଟି ମୁଦି, ୧୦ଟି ପୋହଳା, ୮ଟି ରୁଲି, ୧୦ଟି ଲକେଟ ଆଦି ଅନ୍ତର୍ଭୁକ୍ତ ବୋଲି ସୁଲୋଚନା ଟାଉନ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ନଂ ୨୪୫/୨୨ରେ ଏକ ମାମଲା ରୁଜୁ ହୋଇଛି । ଘଟଣାଘଟିବା ପରେ ଟାଉନ ଥାନା ପୁଲିସ, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦଳ ସହ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା । ଏହି ଘଟଣାରେ ଟାଉନ ଥାନା ପୁଲିସ ୫ଜଣ ଯୁବକଙ୍କୁ ଅଟକ ରଖି ପଚାଉଚରା ଉଚାରା କରୁଥିବା ବେଳେ ଖୁବ ଶ୍ରୀଘ ଏହି ଘଟଣାର ଖୁଲାସ ହେବ ବୋଲି ଜଣାପଡ଼ିଛି ।
