ନିଟ୍ ଓଡ଼ିଶା ଟପ୍ର ସୋମଦତ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ବିଧାୟକ ବବି ଦାସ
ଯାଜପୁର : ବିଞ୍ଝାରପୁର ବ୍ଳକ ଶାସନ୍ଦା ପଞ୍ଚାୟତ ବରୁଣା ଗ୍ରାମର ସଂଜୀବ ନାୟକ ଓ ଅନୁପମା ନାୟକଙ୍କ ପୁଅ ପ୍ରିୟସୋମଦତ୍ତ ନାୟକ ନିଟ୍ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୩୯ ର୍ୟାଙ୍କ ପାଇଥିବା ବେଳେ ସାରା ଓଡ଼ିଶାର ଟପ୍ପର ହୋଇଛନ୍ତି । ଏ ଖବର ଜଣାପଡ଼ିବା ପରେ ସୋମଦତ୍ତଙ୍କ ଗ୍ରାମ ବରୁଣା ସମେତ ସମଗ୍ର ଯାଜପୁର ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି । ସୋମଦତ୍ତଙ୍କ ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଥିବା ବେଳେ ତାଙ୍କ ସଫଳତା ଖବର ପାଇ ଯାଜପୁର ବିଧାୟକ ତଥା ବିଜେଡିର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଖୁସି ପ୍ରକଟ କରି ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଶୁକ୍ରବାର ବିଧାୟକ ଶ୍ରୀ ଦାସ ସୋମଦତ୍ତଙ୍କୁ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନକୁ ଡକାଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ସମୟରେ ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ସମେତ ତାଙ୍କ ପରିବାର ଲୋକ ଉପସ୍ଥିତ ଥିଲେ ।
