କୃଷି ବିଶ୍ୱବିଦ୍ୟାଳୟରେ “ସବୁଜ ଗୋଖାଦ୍ୟ ଦିବସ” ପାଳିତ
ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଗବେଷଣା ଫାର୍ମ, ଖଣ୍ଡଗିରି ପରିସରରେ “ସବୁଜ ଗୋଖାଦ୍ୟ” ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ସବୁଜ ଗୋଖାଦ୍ୟ ଫସଲର ଉତ୍ପାଦନ ଓ ଉପଯୋଗିତା ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗବେଷଣା ଅଧ୍ୟକ୍ଷ ପ୍ରଫେସର ମନମୋହନ ମିଶ୍ର, ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ସବୁଜ ଗୋଖାଦ୍ୟର ଉପଯୋଗିତା ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ସବୁଜ ଗୋଖାଦ୍ୟ ଗବେଷଣା କେନ୍ଦ୍ର ମୁଖ୍ୟ ଡଃ ଅରବିନ୍ଦ ଧଳଙ୍କ ପ୍ରମୁଖ ପରିଚାଳନାରେ ଆୟୋଜିତ ଉକ୍ତ ସଭାରେ ସୋଆ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ସାହୁ, ଉପକୂଳ ଅଂଚଳ ସହ ଗବେଷଣା ନିର୍ଦ୍ଦେଶକ ପ୍ରଫେସର ଚନ୍ଦ୍ରମଣି ଖଣ୍ଡା, ପ୍ରଫେସର ମନୋରଂଜନ ଶତପଥି, ଡଃ ସୁମନ ଯୋଶୀ, ଡଃ ଅନୀତା ମହାନ୍ତି, ଡଃ ସୁଶାନ୍ତ କୁମାର ସ୍ୱାଇଁ, ଡଃ ଦିଗ୍ବିଜୟ ସ୍ୱାଇଁ, ଡଃ ସ୍ୱର୍ଣ୍ଣଲତା ଦାସ, କାର୍ତିକ ଚନ୍ଦ୍ର ପ୍ରଧାନ, ବିନାୟକ ଦାଶ ଓ ନଳିନୀ କାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଆସରରେ ଉପସ୍ଥିତ ଅତିଥିମାନେ ଆମ ରାଜ୍ୟରେ କ୍ଷୀର ଉତ୍ପାଦନର ଚାହିଦାକୁ ଦୃଷ୍ଟିରେ ରଖି ନୂତନ କିସମ ସବୁଜ ଗୋଖାଦ୍ୟ ଫସଲର ଉତ୍ପାଦନ ଓ ଉପଯୋଗିତା ସମ୍ପର୍କରେ, ଦୁଗ୍ଧ ଚାଷୀ ଓ ସବୁଜ ଗୋଖାଦ୍ୟ ଫସଲ ଉତ୍ପାଦକ ଅଗ୍ରଣୀ ଚାଷୀମାନଙ୍କ ମଧ୍ୟରେ ତାଲିମ୍ ଶିବିର, ଦଳଗତ ଆଲୋଚନା ଓ ଅଗ୍ରଣୀ କ୍ଷେତ୍ର ପ୍ରଦର୍ଶନୀ ଆୟୋଜନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଦିବସରେ ସବୁଜ ଗୋଖାଦ୍ୟ ଫସଲ ସମ୍ପର୍କରେ ଏକ କୁଇଜ୍ କାର୍ଯ୍ୟକ୍ରମରେ ପଚାଶରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଓ ବିଜୟୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
