କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କ ସୁରକ୍ଷା ବ୍ୟବସ୍ଥା ଢିଲା, ଯୁବକ ଗିରଫ
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷା ବ୍ୟବସ୍ଥା ଢିଲା ହୋଇଛି। କଂଗ୍ରେସ ଶାସିତ ପଞ୍ଜାବରେ ପ୍ରଧାନମନ୍ତ୍ରୀ ଅସୁରକ୍ଷିତ ଥିବା ବେଳେ ବିଜେପି ମେଣ୍ଟ ମହାରାଷ୍ଟ୍ରରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଜୀବନ ବିପଦରେ ପଡିଥିଲା। ଗୃହମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ଜଣେ ସନ୍ଦିଗ୍ଧ ଅଧିକାରୀଙ୍କୁ ଗରିଫ କରାଯାଇଛି। ତାଙ୍କୁ ଗିରଫ ପରେ ୫ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଥିବା ସୂଚନା ମିଳିଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବାସଭାବନ ନିକଟରେ ମଧ୍ୟ ଦେଖାଯାଇଥିଲା।
ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଦୁଇ ଦିନିଆ ମହାରାଷ୍ଟ୍ର ଗସ୍ତ ଶେଷ ହୋଇଛି। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଶେଷ ହେବାର ଦିନକ ପରେ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ମୁମ୍ବାଇରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷା ଦୁର୍ଗ ଭିତରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ପଶିଯାଇଥିଲେ। ସେ ନିଜକୁ ଗୃହ ମନ୍ତ୍ରଣାଳୟର ଅଧିକାରୀ ବୋଲି ଦର୍ଶାଇ ଗୃହମନ୍ତ୍ରୀଙ୍କ ନିକଟରେ ବୁଲାବୁଲି ମଧ୍ୟ କରିଥିଲେ। ସନ୍ଦେହ ହେବାରୁ ପୋଲିସ ତାଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାମ ହେମନ୍ତ ପାୱାର (୩୨) ଓ ସେ ଜଣେ ଆନ୍ଧ୍ରପ୍ରଦେଶ ସାଂସଦଙ୍କ ବ୍ୟକ୍ତିଗତ ସଚିବ ବୋଲି ଜଣାପଡିଛି। ସେ ଗୃହ ମନ୍ତ୍ରଣାଳୟ ଆଇ-କାର୍ଡ ପିନ୍ଧି ଅମିତ ଶାହାଙ୍କ ନିକଟରେ ଘଣ୍ଟା ଘଣ୍ଟା ଧରି ବୁଲୁଥିବା ଅଭିଯୋଗ ହୋଇଛି।
ମହାରାଷ୍ଟ୍ର ପୋଲିସ କହିଛି ଯେ, ହେମନ୍ତ ପାୱାର ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ଜଣେ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ। ସେ କେନ୍ଦ୍ର ମନ୍ତ୍ରୀଙ୍କ ଦୁଇଟି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ଡେପୁଟି ଦେବେନ୍ଦ୍ର ଫଡନାଭିସଙ୍କ ଘର ବାହାରେ ମଧ୍ୟ ହେମନ୍ତଙ୍କୁ ଦେଖିବାକୁ ମିଳିଥିଲା। ହେମନ୍ତ ପାୱାରଙ୍କ ଉପରେ ସନ୍ଦେହ ହେବାରୁ ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ, ମୁମ୍ବାଇ ପୋଲିସକୁ ସୂଚନା ଦେଇଥିଲେ। ଯାହା ପରେ ପୱାରଙ୍କୁ ପୋଲିସ ପଚରାଉଚରା କରିଥିଲେ। ପୋଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ତାଙ୍କ ନାମ ଗୃହମନ୍ତ୍ରୀଙ୍କ ସୁରକ୍ଷା ଦଳ ତାଲିକାରେ ନାହିଁ। ପରେ ପୱାରଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ପାଞ୍ଚ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି।
ଜୁଲାଇ ୩୦ରେ ଶିବସେନାର ବିଭାଜନ ପରେ ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଉ ମହାରାଷ୍ଟ୍ରର ନୂଆ ସରକାର ଆସିବା ପରେ ଅମିତ ଶାହା ପ୍ରଥମ ଥର ପାଇଁ ମୁମ୍ବାଇ ଗସ୍ତ କରିଥିଲେ। ତେବେ ଏବେ ପ୍ରଶ୍ନ ଉଠୁଛି ଯେ, ଗତ ଜାନୁଆରୀରେ ପଞ୍ଜାବରେ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଢିଲା ହୋଇଥିଲା। ଏବେ ସମାନ ଅବହେଳା କେନ୍ଦ୍ର ଗୃହମନ୍ତ୍ରୀଙ୍କ ସୁରକ୍ଷାରେ ଦେଖିବାକୁ ମିଳିଛି। ତେବେ ଏଥିପାଇଁ କିଏ ଦାୟୀ? ହେମନ୍ତ ପାୱାର କେନ୍ଦ୍ର ମନ୍ତ୍ରୀଙ୍କ ସୁରକ୍ଷା ହୋତାକୁ ପଶିଲା ଓ ଗୁଇନ୍ଦା ବିଭାଗ ଏହାର ଟେର ମଧ୍ୟ ପାଇପାରିଲେ ନାହିଁ। ଯାହାପରେ କେନ୍ଦ୍ରୀୟ ସଂସ୍ଥାର ପାରିବାପଣିଆ ଉପରେ ପ୍ରଶ୍ନ ଉଠିଛି।
