ଏଣିକି ସରକାରୀ କର୍ମଚାରୀଙ୍କୁ ଅଫିସରେ ଜିନ୍ସ ଓ ଟି-ସାର୍ଟ ମନା
ଲକ୍ଷ୍ନୌ: ସରକାରୀ କାର୍ଯ୍ୟାଳୟରେ ଜିନ୍ସ ଓ ଟି-ସାର୍ଟ ଉପରେ ଲାଗିଲା କଟକଣା। ଏଣିକି ସରକାରୀ କର୍ମଚାରୀମାନେ କାର୍ଯ୍ୟାଳୟକୁ ଆଉ ଜିନ୍ସ ଓ ଟି-ସାର୍ଟ ପିନ୍ଧି ଯାଇ ପାରିବେ ନାହିଁ। ଯଦି କୌଣସି କର୍ମଚାରୀ ଏହି ନିୟମର ଅବମାନନା କରନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି କିଛି ବିସ୍ମୟକର ନିର୍ଦ୍ଦେଶ ଉତ୍ତର ପ୍ରଦେଶର ବରେଲି ଜିଲ୍ଲାଧିକାରୀଙ୍କ ତରଫରୁ ଜାରି କରାଯାଇଛି।
ବରେଲି ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ୱାରା ସମସ୍ତ ସରକାରୀ କାର୍ଯ୍ୟାଳୟରେ ଡ୍ରେସ କୋଡ ଲାଗୁ କରାଯାଇଛି। ଏଣିକି କୌଣସି କର୍ମଚାରୀ ଜିନ୍ସ ଓ ଟି-ସାର୍ଟ ପିନ୍ଧି ଅଫିସ ଆସିବେ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ଷ୍ଟାଫମାନେ କେବଳ ଫର୍ମାଲ ଡ୍ରେସ ପିନ୍ଧିବେ। ଏହି ନିୟମକୁ କଡାକଡି ଭାବେ ପାଳନ କରାଯିବ। ସରକାରୀ କର୍ମଚାରୀ ଓ ଅଧିକାରୀମାନେ ଫର୍ମାଲ ପୋଷାକ ପନ୍ଧନ୍ତୁ, ଫଳରେ ସେମାନ ଅଧିକାରୀ ଭଳି ଦେଖାଯିବେ। ଯଦି କେହି କାଜୁଆଲ ଡ୍ରେସ ପିନ୍ଧିବାକୁ ଚାହୁଁଛନ୍ତି, ସେମାନେ ଅଫିସ ବାହାରେ ତାହାକୁ ପିନ୍ଧି ପାରିବେ ବୋଲି ବରେଲି ଜିଲ୍ଲାପାଳ ଶିବକାନ୍ତ ଦ୍ୱିବେଦି କହିଛନ୍ତି।
ଆଡମିନିଷ୍ଟ୍ରେଟିଭ୍ ଅଫିସର ଶିଭେଶ କୁମାର ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଅଫିସରେ ସମସ୍ତ ସରକାରୀ କର୍ମଚାରୀ ଫର୍ମାଲ ପୋଷାକ ପିନ୍ଧିବା ଆବଶ୍ୟକ। ଶିଭେଶ କୁମାରଙ୍କ କହିବା ଅନୁସାରେ, ସରକାରୀ ଅଫିସରେ ଡ୍ରେସ କୋଡ କୌଣସି ନୂଆ ଜନିଷ ନୁହେଁ। ଏହା ପୂର୍ବରୁ ବି ଅନେକ ଥର ଏଭଳି ନିୟମ ଲାଗୁ ହୋଇଛି। ସମସ୍ତ ବରିଷ୍ଠ ଅଧିକାରୀ ଫର୍ମାଲ ଡ୍ରେସ ପିନ୍ଧି ଆସନ୍ତି। କିନ୍ତୁ କିଛି ନୂଆ କର୍ମଚାରୀ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧୁଥିବା ଦେଖାଯାଉଛି। ତେବେ ସମସ୍ତଙ୍କ ପାଇଁ ଡ୍ରେସ କୋଡ ହେଲେ ସମସ୍ତ କର୍ମଚାରୀ ଖୁସି ହେବେ ବୋଲି ଆଡମିନିଷ୍ଟ୍ରେଟିଭ୍ ଅଫିସର ମତ ପ୍ରକାଶ କରିଛନ୍ତି।
କିଛି କର୍ମଚାରୀ ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି। ତେବେ ସରକାରୀ କାର୍ଯ୍ୟାଳୟରେ ଡ୍ରେସକୋଡ୍ ବାଧ୍ୟତାମୂଳକ କରାଯିବ ଏହା ପ୍ରଥମ ଥର ନୁହଁ, ଏହା ପୂର୍ବରୁ ଉତ୍ତରାଖଣ୍ଡ ସରକାର ସମାନ ନିୟମ ଲାଗୁକରିଛନ୍ତି। ରାଜ୍ୟ ସରକାର ସେଠାକାର ସରକାରୀ କାର୍ଯ୍ୟାଳୟରେ ଜିନ୍ସ ଓ ଟି-ସାର୍ଟକୁ ବ୍ୟାନ କରିଛନ୍ତି। ଗତ ବର୍ଷ ମହାରାଷ୍ଟ୍ର ସରକାର ସେକ୍ରେଟେରିଏଟ୍ ଏବଂ ସରକାରୀ କାର୍ଯ୍ୟାଳୟରେ କାଜୁଆଲ ଡ୍ରେସ ପିନ୍ଧି ଆସିବାକୁ ମନା କରିଥିଲେ।
ଏହା ବ୍ୟତୀତ କେନ୍ଦ୍ରୀୟ ସଂସ୍ଥାରେ ମଧ୍ୟ କାଜୁଆଲ ଡ୍ରେସ ଉପରେ କଟକଣା ଲଗାଯାଇଛି। ୨୦୨୧ରେ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୈଶୱାଲ କାର୍ଯ୍ୟାଳୟରେ ଫର୍ମାଲ ଡ୍ରେସକୋଡ ବାଧ୍ୟତା ମୂଳକ କରିଥିଲେ। ସିବିଆଇ କାର୍ଯ୍ୟଳରର କର୍ମଚାରୀଙ୍କୁ ଜିନ୍ସ, ଟି-ସାର୍ଟ, ସ୍ପର୍ଟସୁ, ଚପଲ ଓ କାଜୁଆଲ ଡ୍ରେସ ପିନ୍ଧି ଆସିବାକୁ ବାରଣ କରାଯାଇଥିଲା।
