ଲଘୁଚାପ କ୍ଷେତ୍ର ସୃଷ୍ଟି; ଆସନ୍ତାକାଲି ଠାରୁ ୪ ଦିନ ବର୍ଷା
ଭୁବନେଶ୍ବର : କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଗତ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏ ବ୍ୟାପିଛି। ପ୍ରଭାବରେ ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୯ ତାରିଖରୁ ରାଜ୍ୟରେ ବିସ୍ତୃତ ବର୍ଷା ସହ କିଛି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି ଯେ ପୂର୍ବକେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ସହ ଜଡ଼ିତ ମେଘ ସମୂହ ଓଡିଶା ମୁହାଁ ହୋଇ ଗତି କରୁଛି। ପ୍ରଭାବରେ ୪ ଦିନ ଯାଏ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ୯ ତାରିଖ ସକାଳ ସୁଦ୍ଧା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାବ୍ୟବତୀତ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ସେପ୍ଟେମ୍ବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ପୁରୀ, ଖୋର୍ଧା, ନୟାଗଡ଼ ଜିଲାରେ ପ୍ରବଳ ବର୍ଷା ହେବ। ଅତିପ୍ରବଳ ବର୍ଷା ପ୍ରଭାବରେ ଉକ୍ତ ଜିଲାଗୁଡ଼ିକରେ ପାହାଡ଼ ଧସିବା ସହ ତଳିଆ ଅଞ୍ଚଳରେ ପାଣି ଜମିବା, କଚ୍ଚା ରାସ୍ତା ଓ ଘର ଭାଙ୍ଗିବା ପରି ସମସ୍ୟା ଉପୁଜିପାରେ। ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ ବର୍ଷାର ପ୍ରଭାବ ରହିବା ନେଇ ଶ୍ରୀ ଦାଶ ସୂଚନା ଦେଇଛନ୍ତି।
