ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ: ବିମାନବନ୍ଦରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା
ନାଚ-ଗୀତ ଓ ପାରମ୍ପରିକ ବାଦ୍ୟରେ କମ୍ପୁଛି ପରିବେଶ
ବିମାନ ବନ୍ଦରରୁ ନବୀନ ନିବାସ ଯାଏଁ ଜନ ସମୁଦ୍ର
ଭୁବନେଶ୍ବର : ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ୩୧ ତାରିଖରୁ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ୧୧ଟାରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ବିଜେଡି ପକ୍ଷରୁ ବିମାନବନ୍ଦରରେ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସେହିପରି ବିମାନ ବନ୍ଦରରୁ ନବୀନ ନିବାସ ଯାଏଁ ଜନ ସମୁଦ୍ର ଦେଖିବାକୁ ମିଳିଛି । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ, ବିଜେଡି ବିଧାୟକ ଓ ସାଂସଦଙ୍କ ସମେତ ହଜାର ହଜାର ବିଜେଡି କର୍ମୀ ଭୁବନେଶ୍ବରରେ ରହିଛନ୍ତି।ନାଚ,ଗୀତ ଓ ପାରମ୍ପରିକ ବାଦ୍ୟରେ ପରିବେଶ କମ୍ପୁଛି। ୨୦୧୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ପ୍ରଚାର ପାଇଁ ଯେଉଁ ବସର ବ୍ୟବସ୍ଥା କରାଯାଇଥିଲା ସେହି ବସରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରୁ ନବୀନ ନିବାସ ଯିବେ। ମଝିରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ବି କରିବେ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା ପାଇଁ ସାରା ରାଜ୍ୟରୁ ୫୦ ହଜାର ଲୋକ ରାଜଧାନୀରେ ଏକଜୁଟ ହୋଇଛନ୍ତି। ସେପଟେ ଟ୍ରାଫିକ୍ ବ୍ୟବସ୍ଥା ସହ ନିରାପତ୍ତା ବ୍ୟବସ୍ଥାକୁ ପୁରା କଡ଼ାକଡ଼ି କରାଯାଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଦୁଇଟି ରାସ୍ତାରୁ ଗୋଟେ ରାସ୍ତାରେ ଜନସାଧାରଣଙ୍କ ପାଇଁ ଖୋଲା ରଖାଯାଇଥିବା ବେଳେ.ଆଉ ଗୋଟେ ରାସ୍ତା କର୍ମୀମାନଙ୍କ ପାଇଁ ରହିଛି। ଏଥିଲାଗି ରାଜଧାନୀରେ ୪୦ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

ଅନ୍ୟପକ୍ଷରେ ବିଜେଡ଼ିର ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପରାମର୍ଶ ଜାରି କରାଯାଇଛି । ଧାର୍ଯ୍ୟ ବିମାନ ସମୟର ୩ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଥିବା କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କର ଦୀର୍ଘ ୨୫ ବର୍ଷର ଶାସନ କାଳରେ ରାଜ୍ୟକୁ ବିକାଶର ମାର୍ଗରେ ଆଗେଇ ନେଇଥିବାବେଳେ ତାଙ୍କର ଏହି କୃତି ପାଇଁ କ୍ୟାପିଟାଲ୍ ଫାଉଣ୍ଡେସନ ସୋସାଇଟି ତାଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନରେ ସମ୍ମାନିତ କରିଛି ।
