ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ସଂଘର୍ଷ, ପିଡ଼ିତାଙ୍କ ଘର ଭଙ୍ଗାରୁଜା, ଗାଁ ଛାଡିଲେ ପରିବାର
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ହାବଳେଶ୍ୱର ପଂଚାୟତ ଜମ୍ଭରା ଗ୍ରାମରେ ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା । ଏହାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି । ବିପକ୍ଷ ଗୋଷ୍ଠୀ ନାବାଳିକାଙ୍କ ଘର ଭଙ୍ଗାରୁଜା କରିଛନ୍ତି । ଭୟରେ ପୀଡ଼ିତାଙ୍କ ପରିବାର ଗାଁ ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସେହି ଗ୍ରାମର ଆକାଶ ଯେନା ନାମକ ଜଣେ ଯୁବକ କିଛିଦିନ ହେଲା ସ୍କୁଲ୍ ଯିବା ବାଟରେ ଅଶ୍ଳୀଳ ଇଙ୍ଗିତ କରୁଥିଲା । ଗତ ୧ ତାରିଖ ଦିନ ନାବାଳିକା ଜଣକ ଗଣେଶ ପୂଜା ଦେଖି ଘରକୁ ଫେରିବା ବେଳେ ରାସ୍ତାରେ ଆକାଶ ତାଙ୍କୁ ସ୍କୁଲ୍ ପଛପଟକୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ନାବାଳିକାଙ୍କ ପାଟି ଶୁଣି ବାପାମା ସେଠାରେ ପହଂଚିଯିବାରୁ ଆକାଶ ସେଠାରୁ ପଳାଇ ଯାଇଥିଲା । ଏହି ଘଟଣା ପରେ ନାବାଳିକାଙ୍କ ବାପାମା ଆକାଶର ଘରେ ପହଂଚିିଥିଲେ । ଘଟଣା ସମ୍ପର୍କରେ ଜଣାଇବାରୁ ଆକାଶର ବାପା ଚନ୍ଦ୍ରମଣି ଯେନା ଓ ତାଙ୍କ ପରିବାର ସଦସ୍ୟ ଓଲଟା ଗାଳିଗୁଲଜ କରିବା ସହ ନାବାଳିକାଙ୍କ ବାପାମାଙ୍କୁ ମାରିବାକୁ ଗୋଡ଼ାଇଥିଲେ । ପରେ ମାଙ୍କ ସହ ନାବାଳିକା ଜଣଙ୍କ ନିଜ ମାମୁଘରକୁ ପଳାଇଥିଲେ । ଏହାକୁ କେନ୍ଦ୍ରକରି ଗାଁରେ ଉତେଜନା ପ୍ରକାଶ ପାଇଥିବା ବେଳେ ବିପକ୍ଷ ଗୋଷ୍ଠୀର ଲୋକେ ନାବାଳିକାଙ୍କ ଘର ଭଙ୍ଗାରୁଜା କରିଛନ୍ତି । ଏନେଇ ନାବାଳିକାଙ୍କ ମା ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଆକାଶଙ୍କ ବାପା ଚନ୍ଦ୍ରମଣି ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ପୁଲିସ ଉଭୟ ପକ୍ଷର ଅଭିଯୋଗକୁ ଭିତି କରି ଘଟଣାର ତଦନ୍ତ କରୁଛି ।
