ଏସିଆ କପ୍-୨୦୨୨ : ଶ୍ରୀଲଙ୍କାକୁ ୧୭୬ରନର ବିଜୟ ଲକ୍ଷ୍ୟ ଦେଲା ଆଫଗାନିସ୍ତାନ
ସାରଜା : ଏସିଆ କପ୍-୨୦୨୨ ଟୁର୍ଣ୍ଣାମେଣ୍ଟରେ ଆରମ୍ଭ ହୋଇଛି ସୁପର ୪ ଲଢେଇ । ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପ ଗ୍ରୁପ-ବିର ଏକ ମ୍ୟାଚରେ ଶ୍ରୀଲଙ୍କା ଆଗରେ ୧୭୬ ରନର ବିଜୟ ଲକ୍ଷ୍ୟ ରଖିଛି ଆଫଗାନିସ୍ତାନ । ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ଓ ଆଫଗାନିସ୍ତାନ । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୫ ରନ କରିଥିଲା । ଦଳର ଓପନର ରହମାନୁଲ୍ଲା ଗୁରବାଜ୍ ଲଢୁଆ ବ୍ୟାଟିଂ କରି ୮୪ ରନ କରିଥିଲେ । ଇବ୍ରାହିମ ଜରଦାନ ୪୦ ରନ କରିଥିବାବେଳେ ନାଜିବୁଲ୍ଲା ଜରଦାନ ୧୭ ରନ କରିଥିଲେ । ଦଳ ଆରମ୍ଭରୁ ଭଲ ବ୍ୟାଟିଂ କରି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିବାବେଳେ ଲାଗୁଥିଲା ଯେ ଦଳର ସ୍କୋର ୨୦୦ ରନ ଟପିଯିବ । କିନ୍ତୁ ମଧ୍ୟ ଭାଗ ଓ ନିମ୍ନ-ମଧ୍ୟଭାଗ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ସ୍କୋର ୧୭୫ ରନରେ ସୀମିତ ରହିଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଦୁଶଙ୍କା ୨ଟି ଓ୍ବିକେଟ ନେଇଥିବାବେଳେ ମହିସ ତିକସନା ଓ ଅସିଥା ଫର୍ଣ୍ଣାଣ୍ଡୋ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ସୂଚନା ଯେ, ଏସିଆ କପରେ ଆସନ୍ତା ରବିବାର ଆଉ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିପାରେ । ଏହି ମ୍ୟାଚରେ ପୁଣି ଥରେ ଭେଟା ଭେଟି ହେବେ ଭାରତ ଓ ପାକିସ୍ତାନ । ପ୍ରଥମ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ହରାଇଥିବାବେଳେ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ ।
