ମଝିରେ ଖବର ଆସିଥିଲା ମୁଁ ମରି ଯାଇଛି : ଜାଡେଜା
ନୂଆଦିଲ୍ଲୀ: ପ୍ରାୟଦିନ କ୍ରିକେଟରଙ୍କୁ ନେଇ କିଛି ମଜାଦାର ଏବଂ ବିଚିତ୍ର ଗୁଜବର ଶିକାର ହେବାକୁ ପଡିଥାଏ। ଗୁଜବ ଏବଂ କଳ୍ପନା ଜଳ୍ପନା କ୍ରିକେଟ୍ରଙ୍କ ଜୀବନର ଏକ ଅଂଶ। କ୍ରିକେଟ୍ ଖେଳାଳି ପ୍ରାୟତଃ ପ୍ରତ୍ୟେକ ଦିନ ନିଜ ବିଷୟରେ ଏମିତି କିଛି କଥା ଶୁଣିଥାନ୍ତି, ଯେଉଁ ବିଷୟରେ ସେମାନେ ନିଜ ମଧ୍ୟ ଜାଣିନଥାନ୍ତି। ଏହି କ୍ରମରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଏସିଆ କପ୍ ୨୦୨୨ରେ ହଂକଂ ବିପକ୍ଷ ମୁକାବିଲା ପୂର୍ବରୁ ଏମିତି ଏକ ଖୁଲାସା କରିଛନ୍ତି, ଯାହା ଚକିତ କରିଦେବା ଭଳି ରହିଛି।
ରିପୋର୍ଟର ଜାଡେଜାଙ୍କୁ ପ୍ରଶ୍ନ କରିଛନ୍ତି, ଆମେ ଏହି ଗୁଜବ ଶୁଣିଥିଲୁ ଯେ, ଜାଡେଜା ବିଶ୍ଵ କପ୍ ଖେଳିବେ ନାହିଁ। ସେ ବର୍ଷେ ହେବ ଆହତ ଅଛନ୍ତି। ଏହା ପରେ ଆପଣ ପଡିଆକୁ ପ୍ରତ୍ୟାବର୍ତ୍ତନ କଲେ ଏବଂ କେବଳ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳି ନାହାନ୍ତି ବରଂ ଦଳକୁ ଜିତାଇଛନ୍ତି। ଯେବେ ଆପଣଙ୍କ ବିଷୟରେ ଏତେ ସବୁ କଥା ପ୍ରଚାର ହେଉଛି, ଆପଣ ଚାପକୁ କେମିତି ସମ୍ଭାଳୁଛନ୍ତି ? କଣ ଆପଣ ବିଚଳିତ ହୁଅନ୍ତି କି ?
ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତରରେ ଜାଡେଜା ଏମିତି ଉତ୍ତର ଦେଇଛନ୍ତି ଯାହା ଶୁଣି ସମସ୍ତେ ଆଚମ୍ବିତ ହୋଇ ପଡିଛନ୍ତି। ଜାଡେଜା ରିପୋର୍ଟଙ୍କୁ କହିଛନ୍ତି, ଆପଣ ତ ବହୁତ ଛୋଟ କଥା କହିଲେ ଯେ, ମୁଁ ବିଶ୍ଵ କପ୍ ଖେଳିବି ନାହିଁ। ମଝିରେ ଖବର ଆସିଥିଲା ଯେ, ମୁଁ ମରି ଯାଇଛି ! ଏଥିରୁ ଆଉ ବଡ ଖବର କଣ ହୋଇପାରେ। ମୁଁ କେବେ ହେଲେ ଏହି ସବୁ ଗୁଜବରେ ବିଶ୍ୱାସ କରେ ନାହିଁ। ମୁଁ ସବୁବେଳେ ପଡ଼ିଆ, ଖେଳ ଓ ମୋ ପ୍ରଦର୍ଶନ ବଳରେ ଦେଶ ପାଇଁ କିଛି ବଡ଼ କରିବା ବିଷୟରେ ଫୋକସ କରେ। ଟିମ ପାଇଁ ଯାହା ଦରକାର ମୁଁ ସେସବୁ କରିବାକୁ ପ୍ରସ୍ତୁତ। ଦିନ ଆସିବ ଓ ଦିନ ଯିବ। ମୁଁ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂ ଅଭ୍ୟାସ ଜାରି ରଖିଛି ।
