ଏଥର ରାଜଧାନୀରେ ଜମିବ ଦୁର୍ଗାପୂଜା; ମା’ଙ୍କ ଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି
ଭୁବନେଶ୍ୱର : ଆଜି ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ପୂଜା। ଆସନ୍ତା ଦେଢ଼ ମାସ ପରେ ଦୁର୍ଗାପୂଜା। ପାର୍ବଣର ଏହି ପୂଜା ଉତ୍ସବ ରାଜଧାନୀ ଭୁବନେଶ୍ୱରରେ ଧମ୍ଧାମ୍ରେ ଜମିବ। ରାତି ୧୨ ପର୍ଯ୍ୟନ୍ତ ରାଜଧାନୀବାସୀ ପୂଜା ମଣ୍ଡପରେ ଠାକୁରାଣୀଙ୍କ ଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜ୍ଜା ନେଇପାରିବେ। ଏଥିପାଇଁ ଅନୁମତି ଦେଇଛି ପୁଲିସ ପ୍ରଶାସନ। ତେବେ ପୂଜାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାରକୁ ବ୍ୟାନ କରାଯାଇଛି। ଆଜି ଦୁର୍ଗାପୂଜା ପାଇଁ ବସିଥିବା କମିଶନରେଟ ପୁଲିସର ପ୍ରସ୍ତୁତି ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ବୈଠକରେ ରାଜଧାନୀର ବିଭିନ୍ନ ପୂଜା କମିଟିର କାର୍ଯ୍ୟକର୍ତ୍ତା, ସମସ୍ତ ଥାନାର ଅଧିକାରୀ, ବିଦ୍ୟୁତ ଓ ଅଗ୍ନିସମ ବିଭାଗର ଅଧିକାରୀ, ବିଏମ୍ସି ମେୟର, ବିଧାୟକ ସୁର ରାଉତରାୟ, ସୁଶାନ୍ତ ରାଉତ ମଧ୍ୟ ଏହି ବୈଠକରେ ସାମିଲ ହୋଇଛନ୍ତି।
କରୋନା ଯୋଗୁ ଗତ ଦୁଇ ବର୍ଷ ପୂଜା ଧୁମଧାମରେ ହୋଇପାରୁ ନ ଥିଲା। ଏଥିଜନିତ କଟକଣା ହଟିଥିବାରୁ ଚଳିତବର୍ଷ ପୂଜା ବେଶ ହର୍ଷଉଲ୍ଲାସରେ ପାଳନ ହେବ। ପୂଜା ଦେଖିବାକୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆଶଙ୍କା କରାଯାଉଛି। ତେଣୁ ପୂଜା ମଣ୍ଡପ ଓ ନିକଟସ୍ଥ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଭିଡ଼ ନିୟନ୍ତ୍ରଣ ନିମନ୍ତେ ଅଧିକ ପୁଲିସ ଫୋର୍ସ ମୁତୟନ ହେବେ। ଡ୍ରେନେଜ ସମସ୍ୟାର ସମାଧାନ, ବିଏମସି ପକ୍ଷରୁ ପ୍ରତି ୱାର୍ଡକୁ ଦିଆଯାଥିବା ସହାୟତା ରାଶି ବଢ଼ାଇବା, ସଠିକ ଟ୍ରାଫିକ ବ୍ୟବସ୍ଥା, ବିଦ୍ୟୁତ ପାଇଁ ସିଙ୍ଗିଲ ମିଟର ବ୍ୟବସ୍ଥା ଓ ଅଗ୍ନିଶମ ବିଭାଗ ସହଯୋଗ ନେଇ ବୈଠକରେ ଅଲୋଚନା ହୋଇଥିଲା।
ସେହିପରି ଭସାଣି ବେଳେ ଯେପରି ମେଢ଼ରେ ବିଦ୍ୟୁତ ତାର ନ ଲାଗିବ ତାହାକୁ ଗୁରୁତ୍ୱ ଦିଆଯାଇଛି। ଉଭୟ ପୂଜା ଓ ଭସାଣି ପାଇଁ ଡିସିପିଙ୍କ କାର୍ଯ୍ୟାଳୟରେ ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥା କରାଯାଇଛି। ଚଳିତମାସ ୨୦ରୁ ୨୭ ତାରିଖ ଭିତରେ ପୂଜା କମିଟିଗୁଡିକ ଏଥିପାଇଁ ଆବେଦନ କରି ଅନୁମତି ନେଇ ପାରିବେ। ଭୁବନେଶ୍ୱର ଉପକଣ୍ଠରେ ପୂଜା କରୁଥିବା ପୂଜା କମିଟି ଏଡିଏମ ଅଫିସରେ କରାଯାଇଥିବା ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥାରୁ ଆବେଦନ କରି ଆବଶ୍ୟକ ଅନୁମତି ନେବାକୁ କୁହାଯାଇଛି। ବୈଠକରେ ମେୟର ସୁଲୋଚନା ଦାସ କହିଛନ୍ତି, ପୂଜା ପୂର୍ବରୁ ରାସ୍ତାଘାଟ ମରାମତି ପାଇଁ ପ୍ରତି ୱାର୍ଡକୁ ୫ଲକ୍ଷ ଟଙ୍କା ଦିଆଯିବ। ବଡ ବଡ ପୂଜା ମଣ୍ଡପରେ ଭ୍ରାମ୍ୟମାଣ ଟଏଲେଟ ବ୍ୟବସ୍ଥା କରାଯିବ। ସେହିପରି ଅଳିଆ ଉଠାଇବା ପାଇଁ ସ୍ୱତନ୍ତ୍ର ଭାବେ ଡ଼ଷ୍ଟବିନ ବ୍ୟବସ୍ଥା ସହ ଅଳିଆ ଉଠାଇବା ବ୍ୟବସ୍ଥା କରାଯିବ। ପୂଜା ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଏଡ଼ାଇବା ପାଇଁ ଆବଶ୍ୟକ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
