ଜେଲ୍ରେ ହାର୍ଡକୋର ଅପରାଧୀଙ୍କୁ ଗଳା କାଟି ହତ୍ୟା ଉଦ୍ୟମ
ପୁରୀ : କେବଳ ଥାନା ନୁହଁ ପୁରୀ ଜେଲ୍ରେ ଅସୁରକ୍ଷିତ ବିଚାରାଧୀନ ବନ୍ଦୀ। ହାଜତ ମୃତ୍ୟୁ ପାଇଁ ବଦନାମ ପୁରୀ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ହାର୍ଡକୋର ଅପରାଧି ଉପରେ ଆକ୍ରମଣ ହୋଇଛି। ପୁରୀ ଜେଲରେ ଦୁର୍ଦ୍ଦାନ୍ତ ଅପରାଧି ଧିରେନ୍ଦ୍ରନାଥ ବରାଳ ଓରଫ ପପୁକୁ ଗଳାକାଟି ହତ୍ୟା ଉଦ୍ୟମ କରାଯାଇଛି। ଗୁରୁତର ଅବସ୍ଥାରେ ପପୁକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ତେବେ କିଏ ଓ କାହିଁକି ଆକ୍ରମଣ କରିଛି, ସେ ନେଇ ତଦନ୍ତ ଚାଲିଛି ବୋଲି ଜେଲ ସୁପରିଣ୍ଟେଣ୍ଡ୍ ସୂଚନା ଦେଇଛନ୍ତି। ଗତ ୨୩ ତାରିଖରେ ପପୁକୁ ଗିରଫ କରାଯାଇଥିଲା।
ମିଳିଥିବା ସୂଚନାନୁସାରେ, ପୁରୀ ଜେଲ ଭିତରେ ସୋମବାର ସକାଳେ ଦୁର୍ଦ୍ଦାନ୍ତ ଅପରାଧି ଧିରେନ୍ଦ୍ରନାଥ ବରାଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ପପୁକୁ ହସ୍ପିଟାଲର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି। ଜେଲ ଭିତରେ ହିଁ ତାକୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା ଉଦ୍ୟମ କରାଯାଇଛି। ତେବେ କିଏ ଓ କାହିଁକି ୪୫ ବର୍ଷୀୟ ପପୁକୁ ହତ୍ୟା ଉଦ୍ୟମ କରିଛି ସେ ନେଇ ଜେଲ କର୍ତ୍ତୃପକ୍ଷ ନିକଟରେ କୌଣସି ସୂଚନା ନାହିଁ। ତେବେ ମାମଲାର ତଦନ୍ତ ଚାଲୁଥିବା ପୁରୀ ଜେଲ ସୁପରିଣ୍ଟେଣ୍ଡ୍ କହିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପପୁ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି।
ଗତ ୨୨ ତାରିଖରେ ଦୁର୍ଦ୍ଦାନ୍ତ ପପୁକୁ ବଟି ଆଦାୟ ମାମଲାରେ ସମୁଦ୍ରକୂଳ ଥାନା ପୋଲିସ ଗିରଫ କରିଥିଲା। କିନ୍ତୁ ପପୁର ସାଥୀ ଖସି ଯିବାରେ ସଫଳ ହୋଇଥିଲା। ରାତିରେ ପପୁ ମାରଣାସ୍ତ୍ର ଦେଖାଇ ସ୍ୱର୍ଗଦ୍ୱାର ନିକଟସ୍ଥ ଦୋକାନରୁ ବଟି ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଏହାର ଖବର ପାଇ ପାଟ୍ରୋଲିଂ କରୁଥିବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପପୁକୁ କାବୁ କରିଥିଲା। ଏହା ପରେ ତାକୁ ୨୩ ତାରିଖରେ ପୁରୀ ଏସଡିଜେଏମ୍ କୋର୍ଟରେ ହାଜର କରିବା ପରେ ପୁରୀ ଜେଲକୁ ପଠାଇ ଦିଆଯାଇଛି। ସେଠାରେ ଅନ୍ତେବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେହି ଗଣ୍ଡୋଗୋଳ ବେଳେ ପପୁକୁ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।
ସୂଚନା ଯେ, ପୁରୀର ଧାନକୁଟି ସାହିରେ ଦୁର୍ଦ୍ଦାନ୍ତ ଅପରାଧି ପପୁ ବରାଳର ଘର। ପୂର୍ବରୁ ପପୁ ନାମରେ ମାମଲା ଟାଉନ ଥାନା ଓ ସମୁଦ୍ରକୂଳ ଥାନାରେ ୧୬ରୁ ଊର୍ଦ୍ଧ୍ୱ ମାମଲା ରହିଛି। ଏ ନେଇ ପୁରୀ ପୋଲିସ ପକ୍ଷରୁ ପପୁ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି।
