ଆଜି ଜାତୀୟ କ୍ରୀଡା ଦିବସ ! ଜାଣନ୍ତୁ କାହିଁକି ପାଳନ କରାଯାଏ ଓ ଏହାର ବିଶେଷତ୍ତ୍ୱ
ପ୍ରତିବର୍ଷ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡା ଦିବସ ପାଳନ ହୋଇଥାଏ । ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ। ହକିର ଯାଦୁଗର ରୂପେ ପରିଚିତ ତଥା ମହାନ ଅଲିମ୍ପିଆନ୍ ଓ ସର୍ବକାଳୀନ ସର୍ବଶ୍ରେଷ୍ଠ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ କ୍ରୀଡା ଦିବସ ରୂପେ ପାଳନ କରାଯାଉଛି । ଧ୍ୟାନଚାନ୍ଦ ଭାରତକୁ ୧୯୨୮(ଆମଷ୍ଟରଡାମ୍), ୧୯୩୨ (ଲସ୍ ଆଞ୍ଜେଲସ୍) ଓ ୧୯୩୬(ବର୍ଲିନ୍) ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା କରାଇ, ଅନ୍ତର୍ଜାତୀୟ ସ୍ଥରରେ ଭାରତୀୟ ହକିକୁ ନିଆରା ପରିଚୟ ପ୍ରଦାନ କରିଥିଲେ । ତାଙ୍କ ସମ୍ମାନରେ ଜନ୍ମଦିନକୁ ଖେଳ ଦିବସ କା କ୍ରୀଡା ଦିବସ ଭାବେ ପାଳନ କରାଯାଉଛି । ସେହିପରି ଏହି ଦିନ ଦେଶ ତମାମ ବିଭିନ୍ନ ପ୍ରକାର କ୍ରୀଡା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।
ମେଜର ଧ୍ୟାନଚାନ୍ଦ ୨୯ ଅଗଷ୍ଟ ୧୯୦୫ରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ। ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ତାଙ୍କ ଜନ୍ମଦିନ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଏ। ସେ ୧୬ ବର୍ଷ ବୟସରେ ୧୯୨୨ ମସିହାରେ ଜଣେ ଭାରତୀୟ ସୈନିକ ଭାବରେ ସେନାରେ ଯୋଗ ଦେଇଥିଲେ। ମେଜର ଧ୍ୟାନଚାନ୍ଦ ଆରମ୍ଭରୁ ଜଣେ ଖେଳାଳି ଥିଲେ। ସେ ହକି ଖେଳିବା ପାଇଁ ସୁବେଦାର ମେଜର ତିୱାରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଧ୍ୟାନଚାନ୍ଦ ତାଙ୍କ ତତ୍ତ୍ୱାବଧାନରେ ହକି ଖେଳିବା ଆରମ୍ଭ କଲେ ।
ମେଜର ଧ୍ୟାନଚାନ୍ଦ କେବଳ ଭାରତରେ ନୁହେଁ ବିଶ୍ୱରେ ଜଣେ ମହାନ ହକି ଖେଳାଳି ଥିଲେ। ମେଜର ଧିଆନ୍ ଚାନ୍ଦ ଭାରତକୁ ୩ ଥର ଅଲିମ୍ପିକ୍ସରେ ବିଜୟ ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ତିନୋଟି ଅଲିମ୍ପିକ୍ ଗେମ୍ସରେ ସେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ୧୯୩୨ ମସିହାରେ ୩୭ଟି ମ୍ୟାଚରେ ଭାରତ ୩୩୮ ଗୋଲ ସ୍କୋର କରିଥିଲା, ସେଥିମଧ୍ୟରୁ କେବଳ ଧ୍ୟାନଚାନ୍ଦ ୧୩୩ ଗୋଲ ସ୍କୋର କରିଥିଲେ।
ଏହି ଦିନକ୍ରୀଡା ଜଗତରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଭାରତର ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ କରାଯାଏ । ଏହି ସମ୍ମାନରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ, ଧ୍ୟାନଚାନ୍ଦ ପୁରସ୍କାର ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଏ । ଏହି ପୁରସ୍କାର ମଧ୍ୟରେ ଅର୍ଜୁନ ଆୱାର୍ଡ, ରାଜୀବ ଗାନ୍ଧି ଖେଳ ରତ୍ନ, ଧ୍ୟାନଚାନ୍ଦ ଆୱାର୍ଡ ଓ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ରହିଛି । ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଖେଳାଳିଙ୍କ ସୂଚୀ ପ୍ରସ୍ତୁତ କରିଛି ।
ରାଜୀବ ଗାନ୍ଧି ଖେଳ ରତ୍ନ ଆୱାର୍ଡ :
ଏହି ଆୱାର୍ଡ ଦେଶର ସର୍ବୋଚ୍ଚ ଖେଳ ସମ୍ମାନ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ନାମରେ ଏହି ପୁରସ୍କାରର ନାମ ରଖାଯାଇଛି । ଏହି ପୁରସ୍କାରର ଆରମ୍ଭ ୧୯୯୧-୯୨ରେ ହୋଇଥିଲା । ପ୍ରଥମ ଖେଳରତ୍ନ ବିଜେତା ହୋଇଥିଲେ ବିଶ୍ବନାଥ ଆନନ୍ଦ ।
ଅର୍ଜୁନ ଆୱାର୍ଡ :
କ୍ରାଡା କ୍ଷେତ୍ରରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଏହି ଆୱାର୍ଡ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାରର ଆରମ୍ଭ ବର୍ଷ ୧୯୬୧ରୁ ହୋଇଥିଲା ।
ଧ୍ୟାନଚାନ୍ଦ ଆୱାର୍ଡ :
କ୍ରୀଡା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ପ୍ରଦାନ କରାଯାଉଥିବା ପୁରସ୍କାର ମଧ୍ୟରେ ଏହା ସର୍ବୋଚ୍ଚ ପୁରସ୍କାର । ଏହି ପୁରସ୍କାରର ନାମ ଭାରତର ମହାନ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ନାମରେ ରଖାଯାଇଛି । ଏହି ପୁରସ୍କାରର ଆରମ୍ଭ ୨୦୦୨ରେ ଆରମ୍ଭ ହୋଇଥିଲା । ପ୍ରଥମ ପୁରସ୍କାର ମୁଷ୍ଟିଯୋଦ୍ଧା ଶାହୁରାଜ ବିରାଜଦାରଙ୍କୁ ମିଳିଥିଲା ।
ଦ୍ରୋଣାଚାର୍ଯ୍ୟ ଆୱାର୍ଡ :
ଖେଳାଳିଙ୍କୁ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ମେଡାଲ ବିଜୟୀ ହୋଇ ସଫଳତାର ଶୀର୍ଷରେ ପହଞ୍ଚିବାରେ ପ୍ରଚ୍ଛଦପଟ୍ଟରେ କୋଚଙ୍କ ହାତ ରହିଥାଏ । ଏହି ପୁରସ୍କାର ଏହିପରି କୋଚଙ୍କୁ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାରର ଆରମ୍ଭ ବର୍ଷ ୧୯୮୫ରେ ହୋଇଥିଲା । ପ୍ରଥମ ପୁରସ୍କାର ବିଜେତା ରହିଥିଲେ ଭଲାଚନ୍ଦ୍ର ଭାସ୍କର ଭାଗବତ (କୁସ୍ତି) ।
