ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଉଦୟ ଉମେଶ ଲଲିତ
ନୂଆଦିଲ୍ଲୀ: ଜଷ୍ଟିସ୍ ଉଦୟ ଉମେଶ ଲଲିତ ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଲଲିତଙ୍କୁ ପ୍ରଧାନ ବିଚାରପତି ପଦର ଶପଥ ପାଠ କରାଇଛନ୍ତି । ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ବିଚାରପତି ଲଳିତ ଈଶ୍ବରଙ୍କ ନାମରେ ଶପଥ ଗ୍ରହଣ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ, ପୂର୍ବତନ ପ୍ରଧାନ ବିଚାରପତି ଏନ୍.ଭି. ରମନା, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଚାରପତି ଡି. ୱାଇଐ ଚନ୍ଦ୍ରଚୂଡ଼, ଏସ୍. ଅବ୍ଦୁଲ୍ ନାଜୀରଙ୍କ ଭଳି ସୁପ୍ରିମ୍ କୋର୍ଟର ବିଚାରପତି ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଜଷ୍ଟିସ ଲଳିତ ଜଷ୍ଟିସ ଏନଭି ରମନ୍ନାଙ୍କ ସ୍ଥାନ ନେବେ । ଜଷ୍ଟିସ ଏନଭି ରମନ୍ନା ଶୁକ୍ରବାର ଅବସର ନେଇଥିଲେ । ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ୟୁୟୁ ଲଲିତଙ୍କ କାର୍ଯ୍ୟକାଳ ମାତ୍ର ୭୪ ଦିନ ହେବ । ସେ ନଭେମ୍ବର ୮ରେ ଅବସର ନେବେ ।

ଉଲ୍ଲେଖଯୋଗ୍ୟ ଯେ ଜଷ୍ଟିସ୍ ୟୁୟୁ ଲଲିତ ମୁସଲମାନମାନଙ୍କ ମଧ୍ୟରେ ‘ଟ୍ରିପଲ୍ ତଲାକ୍’ ପ୍ରଥା ନିଷିଦ୍ଧ କରିବା ସହିତ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି । ଓକିଲରୁ ସିଧାସଳଖ ସର୍ବୋଚ୍ଚ ନ୍ୟାୟାଳୟର ବେଞ୍ଚକୁ ପଦୋନ୍ନତି ପାଇବାରେ ଜଷ୍ଟିସ୍ ୟୁୟୁ ଲଳିତ ଦ୍ବିତୀୟ ପ୍ରଧାନ ବିଚାରପତି ହେବେ । ତାଙ୍କ ପୂର୍ବରୁ ଜଷ୍ଟିସ୍ ଏସ୍ଏସ୍ ସିକ୍ରି ପ୍ରଥମ ଓକିଲ ଭାବେ ମାର୍ଚ୍ଚ ୧୯୬୪ ରେ ବାରରୁ ସିଧାସଳଖ ସର୍ବୋଚ୍ଚ ନ୍ୟାୟାଳୟ ଖଣ୍ଡପୀଠକୁ ପଦୋନ୍ନତି ପାଇଥିଲେ । ଜାନୁଆରୀ ୧୯୭୧ରେ ସେ ୧୩ତମ ପ୍ରଧାନ ବିଚାରପତି ହୋଇଥିଲେ |
ଜଷ୍ଟିସ ଲଲିତଙ୍କୁ ୧୩ ଅଗଷ୍ଟ ୨୦୧୪ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା | ସେ ସେତେବେଳେ ଜଣେ ଜଣାଶୁଣା ଓକିଲ ଥିଲେ। ଏହା ପରେ ଜଷ୍ଟିସ୍ ଲଲିତ ସର୍ବୋଚ୍ଚ ନ୍ୟାୟାଳୟର ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥିବା ଖଣ୍ଡପୀଠର ଅଂଶବିଶେଷ ହୋଇଆସିଛନ୍ତି। ଅଗଷ୍ଟ ୨୦୧୭ ରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୩-୨ ସଂଖ୍ୟାଗରିଷ୍ଠତା ଆଧାରରେ ‘ଟ୍ରିପଲ୍ ତଲାକ୍’ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ। ସେହି ତିନି ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍ ଲଲିତ ମଧ୍ୟ ଥିଲେ।
