ପେଗାସସ ମାମଲା ; କେନ୍ଦ୍ର ଉପରେ ଖପ୍ପା ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପେଗାସସ ମାମଲାକୁ ନେଇ ସୁପ୍ରିମକୋର୍ଟ ଏକ ଖୁଲାସା କରିଛନ୍ତି। ଗୁରୁବାର ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଯାଞ୍ଚ କରାଯାଇଥିବା ୨୯ଟି ମୋବାଇଲ ମଧ୍ୟରୁ ୫ଟିରେ ମାଲୱେର ଚିହ୍ନଟ ହୋଇଛି। ତେବେ ଏହା ସହ ପେଗସସର ସମର୍କ ଥିବାର ପ୍ରମାଣ ମିଳିନାହିଁ। ମୁଖ୍ୟ ବିଚାରପତି ଏନଭି ରମଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ଯାଞ୍ଚ କରୁଛି। ତେବେତଦନ୍ତ ପ୍ରକ୍ରିୟାରେ କେନ୍ଦ୍ର ସରକାର ସହଯୋଗ କରୁନାହାନ୍ତି ବୋଲି ଏହି ଖଣ୍ଡପୀଠ କହିଛି।
ପେଗାସସ ମାମଲାରେ ତିନି ଭାଗରେ ରିପୋର୍ଟ ଦାଖଲ କରାଯାଇଛି। ଟେକନିକାଲ କମିଟି ଦ୍ୱାରା ଦୁଇଟି ରିପୋର୍ଟ ଦିଆଯାଇଥିବା ବେଳେ ଅନ୍ୟଟି ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଆଭି ରବିନ୍ଦ୍ରନଙ୍କ ନେତୃତ୍ୱାଧିନ କମିଟି ଦେଇଛି। ପେଗାସସ ମାମଲାର ଶୁଣାଣୀ କରୁଥିବା ବ୍ୟାଞ୍ଚରେ ମୁଖ୍ୟ ବିଚାରପତିଙ୍କ ବ୍ୟତୀତ ଜଷ୍ଟିସ ସୁର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲି ଅଛନ୍ତି। ତେବେ ତିନି ଖଣ୍ଡରେ ଦାଖଲ ରିପୋର୍ଟରେ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଆଇନରେ ଶୋଂସଧନ ସହ ସାଇବର ସିକ୍ୟୁରିଟି ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି ବୋଲି କୋର୍ଟ କହିଛନ୍ତି।
ମୁଖ୍ୟ ବିଚାରପତି କହିଛନ୍ତି ଯେ, ପେଗାସସ ଯାଞ୍ଚ ରିପୋର୍ଟ, ସୁପ୍ରିମକୋର୍ଟ ୱେବସାଇଟରେ ଉପଲବ୍ଧ ହେବ। ଯାଞ୍ଚ କମିଟି, ତଦନ୍ତ ରିପୋର୍ଟକୁ ସର୍ବସାଧାରଣରେ ଉପଲବ୍ଧ କରାଇବାକୁ ଅପିଲ କରିଥିଲେ। ତଥାପି କୋର୍ଟ କେବଳ ଜଷ୍ଟିସ ରବିନ୍ଦ୍ରନଙ୍କ ରିପୋର୍ଟକୁ ୱେବସାଇଟରେ ପବ୍ଲିସ କରିବେ ବୋଲି କୋର୍ଟ କହିଛନ୍ତି। ମାମଲା ଆସନ୍ତା ୪ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି। କିନ୍ତୁ ମୁଖ୍ୟ ବିଚାରପତି ଏନଭି ରମଣା ଦିନକ ପରେ ତାଙ୍କର ମତାମତ ଦେବେ। ସାଇବର ଏକ୍ସପର୍ଟଙ୍କ ଦ୍ୱାରା ମୋଟ ୨୯ଟି ମୋବାଇଲ ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ମାତ୍ର ୫ଟିରେ ମାଲୱେର ଚିହ୍ନଟ ହୋଇଛି। କିନ୍ତୁ ଏହା ସହ ପେଗାସସର କୌଣସି ସମ୍ପର୍କ ଅଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଏକ ନ୍ୟୁଜ୍ ପୋର୍ଟଲାର ରିପୋର୍ଟ ଅନୁସାରେ, ପେଗାସସ ମାଧ୍ୟମରେ ଭାରତର ୧୪୨ ଜଣଙ୍କୁ ଟାର୍ଗେଟ କରାଯାଇଥିଲା। ଏହି ତାଲିକାରେ ଦୁଇ କେନ୍ଦ୍ରମନ୍ତ୍ରୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ରାଜନୀତି ସମୀକ୍ଷକ ପ୍ରଶାନ୍ତ କିଶୋର, ପୂର୍ବତନ ନିର୍ବାଚନ କମିଶନ, ସୁପ୍ରିମକୋର୍ଟଙ୍କ ଦୁଇ ଜଣ ରେଜିଷ୍ଟାର ଜଣେ ପୂର୍ବତନ ବିଚାରପତି, ପୂର୍ବତନ ଆର୍ଟର୍ଣି ଜେନେରାଲଙ୍କ ନିକଟତର ବ୍ୟକ୍ତି ସହ ୪୦ ଜଣ ସାମ୍ବାଦିକଙ୍କ ମୋବାଇଲରେ ପେଗାସସ ଥିବା ଅଭିଯୋଗ ହୋଇଥିଲା। ସିକୁରିଟି ଲାବ ଅଫ ଆମନେଷ୍ଟି ଇଣ୍ଟରନେସନାଲ ଦ୍ୱାରା କିଛି ଫୋନରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନ କରାଯାଇଥିବା ସ୍ପଷ୍ଟ ହୋଇଥିଲା। ତେବେ ପେଗାସସ ମାଧ୍ୟମରେ ନାଗରିକଙ୍କ ଉପରେ ନଜର ରଖୁଥିବା ଅଭିଯୋଗକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। କିନ୍ତୁ ବିରୋଧିଙ୍କ ଅନେକ ଦାବି ପରେ ମଧ୍ୟ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ହେଲେ ନାହିଁ।
