ଉତ୍ତର ଓଡ଼ିଶାରେ ସୁଧୁରିଛି ବନ୍ୟା ପରିସ୍ଥିତି, ପୁଣି ବର୍ଷା ଯୋଗୁଁ ଚିନ୍ତାରେ ତଳିଆ ଅଞ୍ଚଳ ଲୋକେ
ବାଲେଶ୍ୱର : ଉତ୍ତର ଓଡ଼ିଶାରେ ସୁଧୁରିଛି ବନ୍ୟା ପରିସ୍ଥିତି । ମାତ୍ର ଏବେବି ବହୁ ଅଞ୍ଚଳ ତଥା ଚାଷଜମି ଜଳମଗ୍ନ ରହିଛି । ଏହାରି ମଧ୍ୟରେ ବନ୍ୟାରୁ ପୁଣି ଆରମ୍ଭ ହେଲାଣି ବର୍ଷା । ତେବେ ଗତ ବନ୍ୟାର ପାଣି ଏପର୍ଯ୍ୟନ୍ତ ନଛାଡିଥିବା ବେଳେ ପୁଣି ଲଗାଣ ବର୍ଷା ତଳିଆ ଅଞ୍ଚଳର ଲୋକଙ୍କ ନିଦ ହଜାଇ ଦେଇଛି । ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ସଦର ଓ ରେମୁଣା ବ୍ଳକର ବିଭିନ୍ନ ଗାଁ ଏବେବି ପାଣି ଘେରରେ ରହିଛି । ସେପଟେ ସୁବର୍ଣ୍ଣରେଖା ନଦୀ ଏବେ ବିପଦ ସଂକେତ ତଳେ ପ୍ରଭାବିତ ହେଉଛି । ରାଜଘାଟ ଠାରେ ସୁବର୍ଣ୍ଣରେଖାର ବିପଦ ସଂକେତ ୧୦.୩୬ମିଟର ଥିବାବେଳେ ଏବେ ୮ଦଶମିକ ୭୬ ମିଟରରେ ପ୍ରଭାବିତ ହେଉଛି ବନ୍ୟାଜଳ । ଘୁର୍ଣ୍ଣିବଳୟ ପ୍ରଭାବରେ ପୁଣି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ।
ସୁବର୍ଣ୍ଣରେଖା ବନ୍ୟା ଯୋଗୁଁ ଜଳେଶ୍ୱର ବ୍ଲକର ୨୬ଶହ ହେକ୍ଟର ଜମି ଉପରେ ପାଣିର ସୁଅ ଛୁଟୁଥିବା ବେଳେ ୫ ପଂଚାୟତର ୧୬ ଗାଁର ଦୁର୍ଦ୍ଦଶା ଅବର୍ଣ୍ଣନୀୟ । ଗାଁ ଦାଣ୍ଡରେ ପାଣିର ସୁଅ ଥିବା ବେଳେ ୪୦ ହଜାର ଗୃହପାଳିତ ପଶୁ ଅଭୁକ୍ତ ଅବସ୍ଥାରେ ରହିଛନ୍ତି । ବନ୍ୟାଂଳର ଥିବା ୮୩୫ ନଳକୂପ ମଧ୍ୟରୁ ୩୩ଟି ପାଣିରେ ବୁଡିଥିବା ବେଳେ କେତେକସ୍ଥାନରେ ପିଇବାପାଣି ସମସ୍ୟା ଦେଖା ଦେଇଥିବାରୁ ଜିଲାପାଳଙ୍କ ନିର୍ଦ୍ଦେଶରେ ପାଉଚପାଣି ବଣ୍ଟାଯାଉଛି । ଜଳେଶ୍ୱର ବ୍ଲକର ୨୮ ପଂଚାୟତର ୧୪୯ ଗାଁ ୨ଦିନ ଧରି ବୁଡି ରହିବାପରେ ସୁବର୍ଣ୍ଣରେଖା ନଦୀର ଜଳ ସ୍ତର ହ୍ରାସପାଇବାରୁ ଆଜି ୭ ପଂଚାୟତର ୪୦ ଗାଁରେ ପାଣି ରହିଛି । କିନ୍ତୁ ୫ ପଂଚାୟତର ୧୬ ଗାଁ ପରିସ୍ଥିତି ଜଟିଳ ରହିଛି । ବାଇଗଣବାଡିଆ, ପଶ୍ଚିମବାଡ, ଝାଡପିମ୍ପଳ, ଗଡସାହି ବାଲିଆପାଳ ଓ ପାଇକସିଦା ଗାଁକୁ ଯିବାଲାଗି ଡଙ୍ଗା ବ୍ୟବହାର ହୋଇଛି । କାମଧନ୍ଦା ଅଭାବରୁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ରୋଷେଇ କରିବା ସମସ୍ୟା ହୋଇଛି । ବ୍ଲକ ଅଂଚଳରେ ଥିବା ୭୫ହଜାର ଗୃହପାଳିତ ପଶୁ ମଧ୍ୟରୁ ୪୦ହଜାର ଗୃହପାଳିତ ପଶୁ ଖାଡା ଉପବାସରେ ରହିଛନ୍ତି । ବନ୍ଧଯାଇଥିବା ସ୍ଥାନରୁ ଅନ୍ୟତ୍ର ଯାଇପାରୁନଥିବାରୁ ନଡାଗାଦି ପାଣିରେ ବୁଡି ଯାଇଥିବାରୁ ଖାଦ୍ୟ ସମସ୍ୟା ଜଟିଳ ହୋଇଛି । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କ ପରାମର୍ଶ କ୍ରମେ ଆଜି ଜିଲାପାଳ ୨୫୦ କ୍ୟୁଣ୍ଟାଲ ଦାନା ଜଳେଶ୍ୱର ବ୍ଲକୁ ଯୋଗାଇଛନ୍ତି । ୬ଟି ପଂଚାୟତ ବାଇଗଣ ବାଡିଆ, ପଶ୍ଚିମବାର୍ଡ, ଝାଡପିମ୍ପଳ, ଗଡସାହିବାଲିଆପାଳ, ରାୟାଁରାମଚନ୍ଦ୍ରପୁର ଓ ପାଇକସିଦା ପଂଚାୟତରେ ଏଡିଭିଓ ଡ. ରଂଜନ ଦାସ ଓ ଭିଏଏସ୍ ସୁନିଲ କୁମାର ଭୁୟାଁ ଏହି ଦାନା ବଣ୍ଟନ କରିଛନ୍ତି । ପାଣି ବୁଡି ଯାଇଥିବା ଗାଁ ଗୁଡିକରେ ୮୩୫ ନଳକୂପ ଓ ୩୨ଟି ପିଇବା ପାଣି ପ୍ରକଳ୍ପ ଥିବା ବେଳେ ସେଥିରୁ ୩୩ଟି ନଳକୂପ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଅଂଚଳରେ ଥିବା ବିଭିନ୍ନ ପୋଖରୀ ବୁଡିଯିବାର ଫଳରେ ମାଛ ଚାଷୀଙ୍କ କ୍ଷତି ଘଟିଛି । ବିଭିନ୍ନ ସରକାରୀ ଯୋଜନା ଓ ବ୍ୟାଙ୍କରୁ ଋଣ ନେଇ ମାଛଚାଷ ହୋଇଥିବା ବେଳେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ଗ୍ରାମାଂଚଳ ରାସ୍ତା ଏବେବି ପାଣିରେ ବୁଡି ରହିଥିବା ବେଳେ ପୁର୍ତ୍ତ ବିଭାଗର ୨ ରାସ୍ତା ଓ ଗ୍ରାମ ଉନ୍ନୟନ ବିଭାଗର ୩୬ଟି ରାସ୍ତାର ବ୍ୟାପକ କ୍ଷତି ଘଟିଛି । ଏବେବି ଶ୍ରୀରାମପୁର, ଶିଖରପୁର, ଚମାର ଗାଁ, ନେତୁଆ, ସମ୍ପତ୍ତିଆ, ଖାଲିନା, ବାଇଗଣବାଡିଆ, ଖୁଲୁଡା, ଝାଡପିମ୍ପଳ, ନଛିମପୁର, ବର୍ତ୍ତନା, ପାଇକସିଦା, ରାୟାଁରାମଚନ୍ଦ୍ରପୁର ପଂଚାୟତର ୨୬୦୦ ହେକ୍ଟର ଜମି ପାଣି ଘେରରେ ରହିଥିବା ବେଳେ ୫ଶହ ପରିବାଚାଷୀଙ୍କ ସର୍ବସ୍ୱ ଉଜୁଡି ଯାଇଛି । ଗ୍ରାମାଂଚଳରେ କେତେକ ଘରଦ୍ୱାର ଭାଂଗିଥିବା ବେଳେ ରାଜସ୍ୱ ବିଭାଗ ଓ ବ୍ଳକ ଅଧିକାରୀ ମିଳିତ ଉଦ୍ୟମରେ ୬ଟି ଟିମ୍ ବିଭିନ୍ନ ସ୍ଥାନବୁଲି କ୍ଷୟକ୍ଷତି ଆକଳନ କରୁଥିବା ତହସିଲଦାର ସ୍ମୃତିରଂଜନ ମଲ୍ଲିକ ଓ ବିଡିଓ ପୁନମ୍ ରାଉତ ସୂଚନା ଦେଇଛନ୍ତି । ୫୦ଟି କଚାଗୃହ ଭାଗିଥିବା ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ପାଇକସିଦା, କେଶପୁରା, ବାଲିକବାଡ. ଚିତ୍ମିଶ୍ରା, ଖଳାବାଡିଆ ଓ ଉତ୍ତରପଡା ବନ୍ୟାଞ୍ଚଳ ବୁଲି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ ସହିତ ବ୍ଳକ ଅଧ୍ୟକ୍ଷ ମାନସ ଜେନା, ଉପାଧ୍ୟକ୍ଷା ସଂଜିତା ସେନାପତି, ସରପଂଚ ସରସ୍ୱତୀ ସେଠୀ, ସମିତି ସଦସ୍ୟା ନମିତା ଜେନା, ଜିଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ଜିଲାପରିଷଦ ସଦସ୍ୟା ମିନତୀ ଜେନା, ମଧୁସୂଦନ ସେନାପତି, ବନବିହାରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
