ଏସିଆ କପରେ ଏହି ଦଳ ବିଗାଡ଼ିପାରେ ଭାରତର ଖେଳ, ସତର୍କତା ଆବଶ୍ୟକ
ନୂଆଦିଲ୍ଲୀ : ୟୁଏଇରେ ଚଳିତ ବର୍ଷ ଅଗଷ୍ଟ ୨୭ରୁ ଏସିଆ କପ ୨୦୨୨ ଆରମ୍ଭ ହେବାକୁ ଯାଉଛି । ଏସିଆ କପ ୨୦୨୨ରେ ଭାରତ ନିଜର ଅଭିଯାନର ଆରମ୍ଭ ପାକିସ୍ତାନ ବିପକ୍ଷ ମ୍ୟାଚରୁ କରିବ । ଏହି ମ୍ୟାଚ ଅଗଷ୍ଟ ୨୮ରେ ଖେଳାଯିବ । ଚଳିତ ବର୍ଷ ଟି-୨୦ ବିଶ୍ୱକପ ଆୟୋଜନ ଯୋଗୁଁ ଏସିଆ କପ ମଧ୍ୟ ଟି-୨୦ ଫର୍ମାଟରେ ଖେଳାଯିବ । ଏସିଆ କପ ୨୦୨୨ରେ ଭାରତ ପାଇଁ ପାକିସ୍ତାନ ନୁହେଁ ବରଂ ଅନ୍ୟ ଏକ ଦଳ ସବୁଠାରୁ ବଡ଼ ବିପଦ ପାଲଟିପାରେ ।
ଏସିଆ କପରେ ଟିମ୍ ଇଣ୍ଡିଆ ଗୋଟିଏ ଦଳଠାରୁ ବିଶେଷ ସମ୍ଭାଳି ରହିବା ଆବଶ୍ୟକ । ଏହି ଦଳ ଅନ୍ୟ କେହିଁ ନୁହେଁ, ସେହି ହେଉଛି ବାଂଲାଦେଶ, ଯିଏ ନିଜ ଦିନ ଆସିଲେ ବଡ଼ ବଡ଼ ଦଳଗୁଡିକୁ ପରାଜିତ କରିବାର କ୍ଷମତା ରଖିଥାଏ । ପ୍ରାୟ ସମସ୍ତ ପ୍ରମୁଖ ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ଅନେକ ବଡ଼ ଦଳର ସ୍ୱପ୍ନକୁ ଭାଙ୍ଗିଛି ।
ବାଂଲାଦେଶ ହିଁ ଭାରତକୁ ୨୦୦୭ ଏକଦିବସୀୟ ବିଶ୍ୱକପରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବାହାର ରାସ୍ତା ଦେଖାଇଥିଲା । ଏହା ପରେ ସଚିନ ତେନ୍ଦୁଲକରଙ୍କ ପରି ବିରେନ୍ଦର ସେହୱାଗ ଏବଂ ରାହୁଲ ଦ୍ରାବିଡଙ୍କ ଭଳି କିମ୍ବଦନ୍ତୀ ଖେଳାଳି ନିରାଶ ହୋଇଥିଲେ । ୨୦୧୫ ବିଶ୍ୱକପରୁ ବାଂଲାଦେଶ ଇଂଲଣ୍ଡକୁ ବାହାର କରିଥିଲା । ୨୦୧୬ ଟି-୨୦ ବିଶ୍ୱକପରୁ ମଧ୍ୟ ବାଂଲାଦେଶ ଟିମ୍ ଇଣ୍ଡିଆକୁ ଟୁର୍ଣ୍ଣାମେଣ୍ଟରୁ ପ୍ରାୟ ବାହାର କରିଦେଇଥିଲା, କିନ୍ତୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଐତିହାସିକ ରନ୍ ଆଉଟ ଭାରତକୁ ରକ୍ଷା କରିଥିଲା । ଭାରତ ଏହି ମ୍ୟାଚକୁ ଗୋଟିଏ ରନରେ ଜିତି ଟୁର୍ଣ୍ଣାମେଣ୍ଟରେ ନିଜର ଆଶାକୁ ବଞ୍ଚାଇ ରଖିଥିଲା ।
ଏହି ଏସିଆ କପ ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ ଭାଗ ନେବାକୁ ଯାଉଛନ୍ତି । ଭାରତ ଓ ପାକିସ୍ତାନ ବ୍ୟତୀତ ବାଂଲାଦେଶ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ଅଂଶଗ୍ରହଣ କରୁଥିବାବେଳେ ଗୋଟିଏ ଦଳ ଯୋଗ୍ୟତା ପର୍ଯ୍ୟାୟ ମାଧ୍ୟମରେ ଏସିଆ କପ୍ ୨୦୨୨ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଦୁବାଇ ଓ ଶାରଜାହାରେ ଖେଳାଯିବ । ଯାହାର ନେତୃତ୍ୱ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କରିବ ।
ଏହି ୬ଟି ଦଳକୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି । ଏ ଗ୍ରୁପରେ ଟିମ୍ ଇଣ୍ଡିଆ, ପାକିସ୍ତାନ ଏବଂ କ୍ୱାଲିଫାୟର ଦଳ ଅଛନ୍ତି । ସେପଟେ ଗ୍ରୁପ୍ ବିରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶ ଦଳ ଖେଳିବେ । ଟିମ୍ ଇଣ୍ଡିଆ ଅଗଷ୍ଟ ୨୮ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିବାବେଳେ ଦ୍ୱିତୀୟ ମ୍ୟାଚ୍ ଅଗଷ୍ଟ ୩୧ରେ ଯୋଗ୍ୟତା ହାସଲ କରିଥିବା ଦଳ ବିପକ୍ଷରେ ଖେଳିବ ଏବଂ ପରେ ସୁପର ୪ ମ୍ୟାଚ୍ ଖେଳାଯିବ। ଫାଇନାଲ୍ ସମେତ ମୋଟ ୧୩ଟି ମ୍ୟାଚ୍ ୧୬ ଦିନରେ ଖେଳାଯିବ ।
