ସେପ୍ଟେମ୍ବର ୪ରେ ହେବ ଏଏସଓ ପରୀକ୍ଷା
ଭୁବନେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି । ଜୁଆଡ଼େ ଦେଖିବ ଖାଲି ପାଣି । ବନ୍ୟା ଯୋଗୁଁ ରାଜ୍ୟବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଆସିଷ୍ଟାଂଟ ସେକ୍ସନ ଅଫିସର (ଏଏସଓ) ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏନେଇ ଓପିଏସସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ତେବେ ଓପିଏସସିକୁ ନେଇ ଏବେ ନୂଆ ଅପଡେଟ୍ ଆସିଛି । ଆସନ୍ତା ସେପ୍ଟେମ୍ବର ମାସ ୪ ତାରିଖରେ ଅନୁଷ୍ଠିତ ହେବ ଏଏସଓ ପରୀକ୍ଷା । ଓପିଏସସି ପକ୍ଷରୁ ନୂଆ ତାରିଖ ଘୋଷଣା କରାଯାଇଛି । ଆସନ୍ତା ୨୧ ତାରିଖରେ ଏଏସଓ ପରୀକ୍ଷା ଅନୁଷ୍ଠିତ ହେବା ନେଇ ପୂର୍ବରୁ ଦିନ ଧାର୍ଯ୍ୟ କରାଯାଇଥିଲା । ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲାର ଛାତ୍ରଛାତ୍ରୀମାନେ ଏଏସଓ ପରୀକ୍ଷା ତାରିଖ ଘୁଂଚାଇବାକୁ ଦାବି କରିଥିଲେ । ପରୀକ୍ଷାର୍ଥୀମାନେ ଟ୍ୱିଟରରେ ଏନେଇ ରାଜ୍ୟ ସରକାରଙ୍କୁ ନିଜର ଦୁଃଖ ଜଣାଇଥିଲେ । ତେବେ ପରିସ୍ଥିତିକୁ ହୃଦୟଙ୍ଗମ କରି ଶେଷରେ ଓପିଏସସପି ପକ୍ଷରୁ ତାରିଖ ଘୁଂଚାଇ ଦିଆଯାଇଥିଲା । ମୋଟ ୭୯୬ଟି ଏଏସଓ ପଦବୀ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
