ହୀରାକୁଦରେ ବନ୍ଦ ହେଲା ୮ଟି ଗେଟ୍
ସମ୍ବଲପୁର : ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବଢୁଛି ନଦୀ ଜଳ ସ୍ତର । ଅନେକ ଜିଲ୍ଲାରେ ନଦୀ ଜଳ ସ୍ତର ବିପଦ ସଙ୍କେତ ଛୁଇଁଥିବା ବେଳେ ବନ୍ୟା ସ୍ଥିତିକୁ ଏଡାଇବା ଲାଗି ହୀରାକୁଦରେ ବନ୍ଦ ହେଲା ୮ଟି ଗେଟ୍ । ଫଳରେ ଏବେ ୨୮ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ । ଗତ ୨ଦିନ ହେଲା ହୀରାକୁଦର ୩୪ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଥିଲା । ତେବେ ଆଜି ଅପରାହ୍ନ ୧ଟା ସମୟରେ ୮ଟି ଗେଟକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୦.୭୩ ଫୁଟ ରହିଛି । ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୯ ଲକ୍ଷ 7 ହଜାର ୯୩୧ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି ।
ହୀରାକୁଦରୁ ୩ ଦିନ ଧରି ୩୪ ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା ବେଳେ ଆଜି ମଧ୍ୟାହ୍ନରେ ୮ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୨୬ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ସେପଟେ ୮ ଗେଟ ବନ୍ଦ ହେବା ଦ୍ବାରା ଜଳସ୍ତର ଦ୍ରୁତ ଗତିରେ ବଢିବାରେ ଲାଗିଛି। ଆଜି ଅପରାହ୍ନ ୩ଟା ସୁଦ୍ଧା ଜଳସ୍ତର ୬୨୧.୫୪ ଫୁଟରେ ପହଞ୍ଚିଛି। ସେପଟେ ହୀରାକୁଦକୁ ଜଳପ୍ରବେଶର ମାତ୍ରା ବି ୯ ଲକ୍ଷ ୮୫ ହଜାର ୬୦ କ୍ୟୁସେକକୁ ବୃଦ୍ଧି ପାଇଲାଣି। ଆଉ ୪ ଲକ୍ଷ ୪୫ ହଜାର ୯୨୪ କ୍ୟୁସେକ ନିଷ୍କାସିତ ହେଉଛି। ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ଯରେ ଉପରମୁଣ୍ଡରେ ୬୭.୬୪ ମିମି ବର୍ଷା ହୋଇଥିବା ବେଳେ ତଳମୁଣ୍ଡରେ ୭୩.୭୪ ମିମି ବର୍ଷା ରେକର୍ଡ କରାଯାଇଛି। ଫଳରେ ଜଳଭଣ୍ଡାରକୁ ଆସନ୍ତାକାଲି ସୁଦ୍ଧା ଅଧିକ ପାଣି ଆସିବାର ଆଶଙ୍କା ରହିଛି। ହେଲେ ତଳମୁଣ୍ଡରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଉଦବେଗଜନକ ଥିବାରୁ କର୍ତ୍ତୃପକ୍ଷ ଅଧିକ ଗେଟ୍ ଖୋଲିବା ପରିବର୍ତ୍ତେ ଗେଟ୍ ସଂଖ୍ୟା କମ୍ କରିଛନ୍ତି। ସେହିପରି ଗେଟ୍ ସଂଖ୍ୟା କମିବା ସହ ବର୍ଷା ଥମିବାରୁ ସମ୍ବଲପୁର ସହରର ବନ୍ୟା ପରିସ୍ଥିତିରେ ସୁଧାର ଆସିଛି।
