ବିପଦ ସଂକେତ ଉପରେ ଜଳକା; ପାଣି ଘେରରେ ୪ ପଞ୍ଚାୟତର ୧୫ ଗାଁ
ବସ୍ତା : ବାଲେଶ୍ୱର ଜିଲାର ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଶନିବାର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ବନ୍ୟା ଜଳ । ଫଳରେ ପାଣି ଘେର ଭିତରେ ରହିଛି ୪ପଞ୍ଚାୟତର ୧୫ ଗ୍ରାମ । ଶହ ଶହ ହେକ୍ଟର ଚାଷଜମିରେ ବନ୍ୟାପାଣି ଲହଡ଼ି ଭାଙ୍ଗୁଛି। ରୁଆ ହୋଇଥିବା ଧାନବିଲ ତଥା ପଡ଼ିଥିବା ତଳି ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି। ଅନ୍ୟପଟେ ଜଳକାର ୩୮ କିଲୋମିଟର ନଦୀବନ୍ଧ ମଧ୍ୟରୁ ଏକାଧିକ ସ୍ଥାନରେ ବନ୍ଧ ଦୁର୍ବଳ ଥିବାରୁ ଭାଙ୍ଗିବା ଭୟରେ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରଶାସନ ପ୍ରସ୍ତୁତ ଥିବା ବସ୍ତା ତହସିଲଦାର ତଥା ଭାରାପ୍ରାପ୍ତ ବିଡିଓ କାର୍ତ୍ତିକ ଚନ୍ଦ୍ର ଦାଶ ପ୍ରକାଶ କରିଛନ୍ତି।
ଜଳକା ନଦୀର ମଥାନୀ ଠାରେ ବିପଦ ସଂକେତ ୫.୫ମିଟର ଥିବାବେଳେ ଶୁକ୍ରବାର ଏହା ବିପଦ ସଂକେତ ଅତିକ୍ରମ କରି ୬.୨୯ ମିଟରରେ ପହଞ୍ôଚ ପ୍ରଥମ ଥର ପାଇଁ ବନ୍ୟା ଆସିଥିଲା । ସନ୍ଧ୍ୟାପରେ ଜଳସ୍ତର ହଠାତ୍ କମିବାକୁ ଆରମ୍ଭ ହୋଇ ଶନିବାର ପୂର୍ବାହ୍ନ ୭ଟା ସୁଦ୍ଧା ୫.୯୮ରେ ପହଞ୍ଚିଥିଲା । ପୁଣି ଦିନ ୧୦ଟାରୁ ଜଳସ୍ତର ବୃଦ୍ଧି ହୋଇ ଅପରାହ୍ନ ୬ଟାରେ ୬.୩୧ ମି.ରେ ପହଞ୍ଚିଥିଲା । ଯାହା ଫଳରେ ବସ୍ତାବ୍ଲକର ମଥାନୀ, ଦୁଧହଂସା ଓ ସଦରବ୍ଲକର ରସଲପୁର ଓ ଶ୍ରୀରାମପୁର ପଞ୍ଚାୟତର ୧୫ରୁ ଉର୍ଦ୍ଧ୍ୱ ଗ୍ରାମ ପାଣି ଘେର ଭିତରେ ରହିଛି । ଏହାଛଡ଼ା ରାଉତପଡ଼ା, ଗଡ଼ପଦା, ବାହାର୍ଦ୍ଦା, ବାସୁଚକୁରାଇ ପ୍ରଭୃତି ପଞ୍ଚାୟତର ଚାଷ ଜମି ଜଳମଗ୍ନ ରହିଛି । ଦିନ ତମାମ ଜଳସ୍ତର ବଢୁଥିବାରୁ ଏବଂ ମଧ୍ୟାହ୍ନରୁ ବର୍ଷା ପୁଣି ଆରମ୍ଭ ହୋଇଥିବାରୁ ବସ୍ତାରେ ଏକ ବଡ଼ ବନ୍ୟାର ଆଶଙ୍କା କରାଯାଉଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ନଦୀକୁଳ ବାସୀ । ଗତ ୬ ତାରିଖରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବସ୍ତା ବ୍ଲକ ଦେଇ ପ୍ରବାହିତ ହୋଇଥିବା ଜଳକା ନଦୀର ଜଳସ୍ତର ବୃଦ୍ଦି ପାଇବାରେ ଲାଗିଛି । ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲାରେ ପ୍ରବଳ ବର୍ଷା ତଥା ଅନ୍ୟପଟେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ପ୍ରାୟ ୫୦ ହେକ୍ଟର ଚାଷ ଜମିରେ ବନ୍ୟା ଜଳ ଜମି ରହିଛି । ଜମି ରହିଥିବା ବର୍ଷା ଜଳ ନଦୀକୁ ନିଷ୍କାସନ ହୋଇପାରୁ ନାହିଁ । ଯାହା ଫଳରେ ଚାଷ ସମ୍ପୂର୍ଣ୍ଣ କ୍ଷତି ହେବାର ସମ୍ଭାବନା ଦେଖାଦେଇଛି । ପୁଣି ଦୁଇଟି ଲଘୁଚାପ ଆଶଙ୍କା ରହିଥିବାରୁ ବର୍ଷା ହେଲେ ଏକ ବଡ଼ବନ୍ୟା ହେବା ସମ୍ଭାବନା ମଧ୍ୟ ରହିଛି ।
