ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟା ପ୍ରବାହିତ
ବାଲିଆପାଳ : ଉପରମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଶନିବାର ଅପରାହ୍ନ ଠାରୁ ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବାହିତ ହେବାରେ ଲାଗିଛି । ଦିପଦ ସଂକେତ ଉପରେ ଜଳ ପ୍ରବାହିତ ହେଲେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ୫ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ବନ୍ୟା ପାଣିରେ ଜଳମଗ୍ନ ହୋଇଯିବା ସହିତ ବହୁ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ । ନଦୀରୁ ପାଣି ବାହାରି ବିଷ୍ଣୁପୁର ପଞ୍ଚାୟତ ଅନ୍ତର୍ଗତ ରାମନଗର ରସଲପୁର ଗାଁ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ସୁବର୍ଣ୍ଣରେଖା ନଦୀରେ ଥିବା ଗାଲୁଡ଼ିହା ଏବଂ ଚାନ୍ଦିଲି ବ୍ୟାରେଜରୁ ଜଳ ନିଷ୍କାସନ ପାଇଁ ଗଲୁଡ଼ିହାରେ ୨ଟି ଏବଂ ଚାନ୍ଦିଲିରେ ଗୋଟିଏ ଗେଟ ଖୋଲାଯାଇ ବ୍ୟାରେଜରୁ ଜଳ ନିଷ୍କାସନ କରାଯାଉ ଥିବାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ବୃଦ୍ଧି ପାଉଛି । ଶନିବାର ଅପରାହ୍ନ ୩ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀର ରାଜଘାଟ ଠାରେ ବନ୍ୟା ଜଳ ୬.୯୪ରେ ପ୍ରବାହିତ ହେଉଥିବା ବେଳେ ସେଠାରେ ବିପଦ ସଙ୍କେତ ୧୦.୩୬ ମିଟର ରହିଛି । ସୁବର୍ଣ୍ଣରେଖା ନଦୀ ବନ୍ୟା ଜଳ ବୃଦ୍ଧି ପାଇଲେ ବାଲିଆପାଳ ପଞ୍ଚାୟତର ବାଲିଆପାଳ ଗୁନାପୁର, ଆଠବାଟିଆ, ସୁଙ୍ଗମୁହଁ, କୁଦମାନସିଂ, ରାଉତୁରାପୁର, ମଧୁପୁରା ପଞ୍ଚାୟତର ଚୌଧୁରୀକୁଦ, ଚରବସ୍ତ କାଳରୁଇ, ପଞ୍ଚରୁଖି, ବିଷ୍ଣୁପୁର ପଞ୍ଚାୟତର ବିଷ୍ଣୁପୁର, ରସଲପୁର, ନୟାବାଲି, ଇକଡ଼ପାଳ, କୁହ୍ଲା, ଜାମକୁଣ୍ଡା ପଞ୍ଚାୟତର ଜାମକୁଣ୍ଡା , କୁହ୍ଲାଚଡ଼, ତାଳପଦା ଏବଂ ଆସ୍ତି ପଞ୍ଚାୟତର ବଢ଼ାପାଳ, ପାରଦୀପା, ଶରଦ୍ଧାରସାହି, ଅସ୍ତି, ବଡ଼ ଖାନପୁର, ପାଳଚମ୍ପେଇ ଆଦି ଗ୍ରାମର ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ । ସୁବର୍ଣ୍ଣରେଖା ନଦୀରେ ସେମିତି କିଛି ବନ୍ୟାର ଆଶଙ୍କା ନାହିଁ । ତଥାପି ବନ୍ୟା ପ୍ରତି ପ୍ରଶାସନ ସଜାଗ ରହିଛି । ଆବଶ୍ୟକ ହେଲେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାଶ କହିଛନ୍ତି ।
