ଆଜି ଅବପାତର ରୂପ ନେବ ଲଘୁଚାପ, ଆଭ୍ୟନ୍ତରୀଣ ସହ ପଶ୍ଚିମ ଓଡିଶା ପ୍ରଭାବିତ ସମ୍ଭାବନା
ଭୁବନେଶ୍ୱର : ଉତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନିଭୂତ ହୋଇ ଆଜି ଅବପାତର ରୂପ ନେବ । ଅବପାତ ପରେ ଏହା ଛତିଶଗଡ଼ ମୁହାଁ ହେବ । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଲଘୁଚାପ ପ୍ରଭାବରେ ରବିବାର ଆଭ୍ୟନ୍ତରୀଣ ସହ ପଶ୍ଚିମ ଓଡିଶା ପ୍ରଭାବିତ ହେବା ସମ୍ଭାବନା ରହିଛି । ସେହିପରି ଓଡିଶା ଉପକୂଳ ଏବଂ ତାର ଆଖ-ପାଖ ଅଂଚଳରେ ଝଡ ପବନ ଘଂଟା ପ୍ରତି ୪୫ ରୁ ୫୫ କିମି ସହ ସର୍ବାଧିକ ୬୫ କିମି ଯାଏଁ ରହିବ । ଏଥିସହ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହୁଥିବାରୁ, ମତ୍ସ୍ୟଜୀବୀଙ୍କୁ ଆସନ୍ତା ୧୫ ଯାଏଁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ତଳୁଆ ଅଂଚଳରେ ପାଣି ଜମିବା ସହ, ସହରୀ ବନ୍ୟା ପରିସ୍ଥିତି ଉପୁଜିବା ତଥା ଅଣ୍ଡର-ପାସ ରୋଡ଼ ରେ ପାଣି ଜମିବା ସହ, ପାହାଡିଆ ଅଂଚଳରେ ଭୂସ୍ଖଳନ ହୋଇପାରେ ।
ପାଣିିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଭୀଷଣ ବର୍ଷା ସମ୍ଭାବନା ଥିବାରୁ ଉପକୂଳ ଓଡିଶାର ୭ ଜିଲାକୁ ରେଡ ଆଲର୍ଟ କରାଯାଇଛି । ଏହି ଜିଲାଗୁଡ଼ିକ ମଧ୍ୟରେ ରହିଛି ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଯାଜପୁର ଏବଂ ଭଦ୍ରକ ସାମିଲ ରହିଛି । ଏହି ସମୟ ମଧ୍ୟରେ ରାଜ୍ୟର ୧୫ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି,, ବାଲେଶ୍ୱର, ମୟୂରଭଞ୍ଜ , କେନ୍ଦୁଝର, ଅନୁଗୁଳ, ସମ୍ବଲପୁର,ସୋନପୁର, ବରଗଡ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡା । ସେହିପରି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ନୂଆପଡା, ବଲାଙ୍ଗୀର, ନବରଙ୍ଗପୁର, ମାଲକାନଗିରି ଓ ୋକାରାପୁଟ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଏହି ଜିଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିବିଭାଗ ।
