ଡିପିରେ ତ୍ରିରଙ୍ଗା ଲଗାଇଲେ ଧୋନି; ଲେଖିଲେ ଭାରତୀୟ ବୋଲି ନିଜକୁ ଗର୍ବିତ ମନେ କରେ
ନୂଆଦିଲ୍ଲୀ: ଆମ ଦେଶ ସ୍ୱାଧୀନ ହେବାକୁ ୭୫ ବର୍ଷ ପୂରି ଯାଉଥିବା କାରଣରୁ ଏଥର ସ୍ୱାଧୀନତା ଦିବସ ଟିକେ ବେଶି ସ୍ୱତନ୍ତ୍ର । ଭାରତ ସରକାରଙ୍କ ନିର୍ଦ୍ଦେଶରେ ଏଥର ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଛି । ଏହି ଅବସରରେ ଦେଶବାସୀ ନିଜ ପ୍ରୋଫାଇଲ୍ ଫଟୋ ସ୍ଥାନରେ ତ୍ରିରଙ୍ଗାର ଫଟୋ ଦେବାରେ ଲାଗିଛନ୍ତି । ଏହି କ୍ରମରେ ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବି ଯୋଡ଼ି ହୋଇଛନ୍ତି । ସେ ତାଙ୍କ ଡିପିରେ ତ୍ରିରଙ୍ଗା ଲଗାଇଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ, ସେ ଭାରତୀୟ ବୋଲି ନିଜକୁ ଭାଗ୍ୟବାନ ମଣୁଥିବା ବି ତାଙ୍କ ଡିପିରେ ଲେଖାଥିବା ଦେଖିବାକୁ ମିଳିଛି ।
ଆପଣ ଜାଣିଥିବେ ନିଶ୍ଚୟ ଯେ ଧୋନି ସୋସିଆଲ୍ ମିଡିଆରେ ରହି ମଧ୍ୟ ଖୁବ୍ କମ୍ ସକ୍ରିୟ ରହନ୍ତି । ଫେସ୍ବୁକ୍, ଟ୍ୱିଟର୍ ଓ ଇନ୍ଷ୍ଟାଗ୍ରାମ୍ରେ ମହେନ୍ଦ୍ର ସିଂହ ଧୋନି ଦୀର୍ଘ ସମୟ ଧରି କୌଣସି ପୋଷ୍ଟ କରନ୍ତି ନାହିଁ । ମାତ୍ର ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସେ ନିଜକୁ ସାମିଲ୍ କରି ଏବେ ଚର୍ଚ୍ଚା ପାଲଟିଛନ୍ତି । ହର ଘର ତ୍ରିରଙ୍ଗା (ପ୍ରତି ଘରେ ତ୍ରିରଙ୍ଗା) ଅଭିଯାନ ଅନ୍ତର୍ଗତ ଜାତୀୟ ପତାକା ବିକ୍ରି ଖୁବ୍ ଜୋର୍ରେ ଚାଲିଛି । ଗତ ୧୦ ଦିନ ମଧ୍ୟରେ ଦେଶରେ ୧ କୋଟିରୁ ଅଧିକ ତ୍ରିରଙ୍ଗା ବିକ୍ରି ହୋଇ ସାରିଥିବା ରିପୋର୍ଟରୁ ଜାଣିବାକୁ ମିଳିଛି । ଏହି ୧୦ ଦିନ ମଧ୍ୟରେ ଭରତୀୟ ଡାକଘର ୧.୫ ଲକ୍ଷ ପୋଷ୍ଟ୍ ଅଫିସ୍ ଓ ଅନ୍ଲାଇନ ଜରିଆରେ ପ୍ରାୟ ୧ କୋଟିରୁ ଅଧିକ ତ୍ରିରଙ୍ଗା ବିକ୍ରି କରି ସାରିଥିବା ସୂଚନା ରହିଛି ।
