ଓଡ଼ିଶାର ପ୍ରଥମ ମହିଳା ଡାକ୍ତର ତଥା ନାରୀ କବି କୁନ୍ତଳା କୁମାରୀ ସାବତ
ଓଡ଼ିଶାର ସ୍ବାଧୀନତା କାଳରେ ନାରୀ କବିଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି କୁନ୍ତଳା କୁମାରୀ ସାବତ । ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା ଓ କବୟିତ୍ରୀ ତଥା ସମ୍ପାଦିକା ଭାବେ ନିଆରା ପରିଚୟ ସୃଷ୍ଟି କରିଛନ୍ତି କୁନ୍ତଳା ଦେବୀ । ଜାତୀୟ ଆନ୍ଦୋଳନର ପୁରୋଧା ତଥା ସମାଜସେବୀ ଭାବରେ ତାଙ୍କ ପରିଚୟ ଅନନ୍ୟ । ସେତେବେଳର ପରଦା ପ୍ରଥା, ବାଲ୍ୟବିବାହ ଓ ମହିଳା ପ୍ରଭେଦ ବିରୁଦ୍ଧରେ ଲେଖି ମହିଳାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ପାଇଁ ବେଶ୍ ଉଦ୍ୟମ କରିଥିଲେ । ବିଧବା ବିବାହ ଓ ନାରୀ ସଶକ୍ତିକରଣ ପାଇଁ କାମ କରି ନାରୀ ସମାଜ ପ୍ରତି ପ୍ରେରଣା ସାଜି ଥିଲେ କୁନ୍ତଳା । ସ୍ବାଧୀନତା ପୂର୍ବବର୍ତ୍ତୀ ସମୟରେ ନାରୀ ଶିକ୍ଷା ପାଇଁ କୌଣସି ସୁବିଧା ନଥିବାବେଳେ ଶିକ୍ଷା ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ସାଜିଥିଲେ ପ୍ରେରଣା ।
ଜନ୍ମ :
ସେ ୧୯୦୧ ମସିହା ଫେବୃଆରି ୮ ତାରିଖରେ ବସ୍ତର ରାଜ୍ୟ (ବର୍ତ୍ତମାନ ଛତିଶଗଡ଼ର ବସ୍ତର ଜିଲ୍ଲା)ର ଜଗଦଳପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଡାନିଏଲ ସାବତ, ସେ ପେଶାରେ ଡାକ୍ତର ଥିଲେ । ତାଙ୍କର ମାତାଙ୍କ ନାମ ମୋନିକା ସାବତ ଥିଲା । ତାଙ୍କ ପିତାମହ ପୁରୀ ଜିଲ୍ଲାର ଦାଣ୍ଡମୁକୁନ୍ଦପୁରର ବାସିନ୍ଦା ଥିଲେ । କୌଣସି କାରଣବଶତଃ ତାଙ୍କ ପିତା ବସ୍ତର ଜିଲ୍ଲାକୁ ଚାଲି ଯାଇଥିଲେ ଓ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ବର୍ମା ଚାଲି ଯାଇଥିଲେ ଓ କୁନ୍ତଳାଙ୍କୁ ୧୪ ବର୍ଷ ହେବା ପର୍ଯ୍ୟନ୍ତ ସେଠାରେ ଥିଲେ । ସେଠାରେ ତାଙ୍କ ପିତା ପୁନର୍ବିବାହ କରିବାରୁ ସେ ନିଜ ମାତାଙ୍କ ସହ ଓଡ଼ିଶାକୁ ଫେରିଆସିଥିଲେ ।
ଶିକ୍ଷା :
ବର୍ମାରୁ ଫେରିବା ପରେ କୁନ୍ତଳା ନିଜ ମାତାଙ୍କ ସହ କିଛି ଦିନ ପାଇଁ ଖୋର୍ଦ୍ଧାରେ ରହୁଥିଲେ । ସେ ରେଭେନସା ବାଳିକା ବିଦ୍ୟାଳୟରେ ଶିକ୍ଷା ଲାଭ କଲା ପରେ କଟକ ଡାକ୍ତରୀ ବିଦ୍ୟାଳୟରେ (ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ବିଦ୍ୟାଳୟ) ଡାକ୍ତରୀ ଶିକ୍ଷା ଗ୍ରହଣ କରି ୧୯୨୧ ମସିହାରେ ସ୍ୱର୍ଣ୍ଣ ପଦକ ସହ ଏଲ୍.ଏମ୍.ପି, ଡିଗ୍ରୀ ପାଇ ଉତ୍ତୀର୍ଣ୍ଣ ହେଲେ । ସେ ଯୁଗରେ ନାରୀ ଶିକ୍ଷା ଆଦୌ ନ ଥିଲା । ଏହି ଶିକ୍ଷା ନିମନ୍ତେ ତାଙ୍କର ମାଆଙ୍କର ଅଦମ୍ୟ ଇଚ୍ଛା ଯୋଗୁ ସମ୍ଭବ ହୋଇଥିଲା । ଓଡ଼ିଆ ଭାଷା ଛଡ଼ା ସେ ବଙ୍ଗଳା, ଇଂରାଜୀ ଓ ବର୍ମାର ଭାଷା ଶିଖିଥିଲେ ।
ଜୀବନ :
ଡାକ୍ତରୀ ଶିକ୍ଷା ପରେ ଡାକ୍ତର କୈଳାସ ଚନ୍ଦ୍ର ରାଓଙ୍କ ତତ୍ତ୍ୱାବଧାନରେ କଟକରେ ଚିକିତ୍ସା ସେବା ୧୯୨୧ରୁ ୧୯୨୮ ପର୍ଯ୍ୟନ୍ତ କରୁଥିଲେ । ତା ପରେ ସେ ନିଜେ ନିଜର ବ୍ୟବସାୟ କଟକରେ ଆରମ୍ଭ କରିଥିଲେ । ୧୯୨୫ ମସିହାରେ ସେ ରେଡ୍କ୍ରସ ସୋସାଇଟିର ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ ଥିଲେ । ୧୯୨୮ ମସିହାରେ ସେ ଦିଲ୍ଲୀ ଚାଲିଗଲେ । ଡଃ କୈଳାସ ଚନ୍ଦ୍ରଙ୍କୁ ପ୍ରେମ କରି ବିବାହ କରିବା ନିମନ୍ତେ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ବିବାହ କରି ପାରି ନ ଥିଲେ । ତା ପରେ ସେ ଆର୍ଯ୍ୟ ଧର୍ମ ଗ୍ରହଣ କରି ବ୍ରହ୍ମଚାରୀ କୃଷ୍ଣ ପ୍ରସାଦ ଦାସଙ୍କୁ ୮ ଅଗଷ୍ଟ ୧୯୨୮ ମସିହାରେ ବିବାହ କରିଥିଲେ । ସେ ଦୁଇ ପୁତ୍ର ଓ ଦୁଇ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ଘୃଣ୍ୟ ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ । ଅନେକ କାଳଜୟୀ କବିତା ଲେଖିଥିଲେ । ସେ ଦେଶାତ୍ମବୋଧକ କବିତା ମଧ୍ୟ ଲେଖୁଥିଲେ । ପରଦା ପ୍ରଥା, ବାଲ୍ୟ ବିବାହ ଓ ମହିଳା ପ୍ରଭେଦ ବିରୁଦ୍ଧରେ ଲେଖୁଥିଲେ । ଏହା ଛଡା ବିଧବା ବିବାହ ଓ ନାରୀ ସଶକ୍ତିକରଣ ନିମନ୍ତେ କାମ କରୁଥିଲେ । ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ସେ ଜଣେ ଉଜ୍ଜ୍ୱଳ ତାରକା ଥିଲେ । ସେ ୨୩ ଅଗଷ୍ଟ ୧୯୩୮ ମସିହାରେ ମାତ୍ର ୩୭ ବର୍ଷ ବୟସରେ ସେ ଅଗଣିତ ପାଠକ ତଥା ପ୍ରଶଂସକମାନଙ୍କୁ ଶୋକ ସାଗରରେ ଭସେଇ ମୃତ୍ୟୁ ବରଣ କରିଥିଲେ ।
ପ୍ରଶଂସା :
ଓଡ଼ିଆରେ ଲେଖିବା ସହ ସେ ହିନ୍ଦୀ ସାହିତ୍ୟରେ ମଧ୍ୟ ଲେଖା ଲେଖି କରୁଥିଲେ । ମହାବୀର, ଜୀବନ ଓ ନାରୀ ଭାରତୀ ଭଳି ହିନ୍ଦୀ ପତ୍ରିକାମାନଙ୍କର ସେ ସମ୍ପାଦିକା ଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଆହ୍ଲାବାଦ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ବକ୍ତୃତା ଦେବା ନିମନ୍ତେ ନିମନ୍ତ୍ରିତ ହୋଇଥିଲେ । ଓଡ଼ିଆ ଭାଷାର ଉନ୍ନତି କଳ୍ପେ ଦିଲ୍ଲୀରେ ସେ ଭାରତୀ ତପୋବନ ସଂଘ ନାମରେ ଏକ ସମିତି ଗଢିଥିଲେ । ୧୯୨୫ ମସିହାରେ ମହିଳା ବନ୍ଧୁ ସମିତି ତାଙ୍କୁ ଉତ୍କଳ ଭାରତୀ ନାମରେ ସମ୍ମାନିତ କରିଥିଲେ । ତାଙ୍କର ଅନେକ ରଚନା ଇଂରାଜୀ ତଥା ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇଥିଲା । ତାଙ୍କୁ ଅନେକ ସମୟରେ ସରୋଜିନୀ ନାଇଡୁଙ୍କ ସହ ତୁଳନା କରା ଯାଉଥିଲା ।
ରଚନା ବଳୀ (କବିତା) :
ଅଞ୍ଜଳି(୧୯୨୨)
ଉଚ୍ଛ୍ୱାସ (୧୯୨୪)
ଅର୍ଚନା (୧୯୨୭)
ସ୍ଫୁଲିଙ୍ଗ (୧୯୨୯)
ଆହ୍ୱାନ (୧୯୩୦)
ଆଜି ବାପା ତୋତେ କହିବି କଥାଟି
ପ୍ରେମ ଚିନ୍ତାମଣି (୧୯୩୦)
ଓଡ଼ିଆଙ୍କ କାନ୍ଦଣା (୧୯୩୬)
ଗଡ଼ଜାତ କୃଷକ (୧୯୩୭)
ବାରମାଲା
ଶେଫାଳି ପ୍ରତି
ତାରା ପ୍ରତି(କବିଙ୍କର ପ୍ରଥମ କବିତା)
କୋଟିକୋଟି କଣ୍ଠେ ଆଜି
ଅବହେଳିତ ଦେଶ
ପୂଜା
ଅଭିଶପ୍ତର ଅଭିମାନ
ମଣିକାଞ୍ଚନ(ଅସମ୍ପୂର୍ଣ୍ଣ କାବ୍ୟ) (ସାହିତ୍ୟିକା ଜୀବନର ଆଦ୍ୟକାଳରେ ରଚିତ) (ସାବିତ୍ରୀ ଓ ସତ୍ୟବାନ ଉପାଖ୍ଯାନ)
ବନଫୁଲ ଉଦ୍ୟାନକୁସୁମ
ଉପନ୍ୟାସ :
ଭ୍ରାନ୍ତି
ନଅତୁଣ୍ଡୀ
କାଳୀବୋହୂ
ରଘୁ ଅରଖିତ
ପରଶମଣି
ଚିତ୍ରପଟ
ସମ୍ମାନ ଓ ପୁରସ୍କାର :
ଉତ୍କଳ ଭାରତୀ ଉପାଧୀ (ପୁରୀ ମୁକ୍ତିମଣ୍ଡପ ପଣ୍ଡିତସଭା)
ଭାରତୀ ଭୂଷଣ ଉପାଧୀ (ଅଖିଳ ଭାରତୀୟ ଆର୍ଯ୍ୟ ସମାଜ)
