ବଢ଼ୁଛି କରୋନା ସଂକ୍ରମଣ : ଓଡ଼ିଶା ସମେତ ୭ ରାଜ୍ୟକୁ ସତର୍କ ସୂଚନା ଜାରି
ଟେଷ୍ଟିଂ ବୃଦ୍ଧି ସହ କୋଭିଡ ଗାଇଡଲାଇନ ଅନୁପାଳନ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ବଢ଼ୁଛି କରୋନା ସଂକ୍ରମଣ । ଦେଶର କିଛି ପ୍ରାନ୍ତରେ ଏବେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦିଲ୍ଲୀ, ଓଡ଼ିଶା ସମେତ ୫ଟି ରାଜ୍ୟକୁ ସତର୍କ ସୂଚନା ଜାରି କରାଯାଇଛି। ସଂକ୍ରମଣ ବଢ଼ୁଥିବାରୁ ଏହି ସବୁ ରାଜ୍ୟଗୁଡ଼ିକୁ ଟେଷ୍ଟିଂ ବୃଦ୍ଧି କରିବା ସହ କୋଭିଡ ଗାଇଡଲାଇନ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଟିକାକରଣ ହାରକୁ ମଧ୍ୟ ବଢ଼ାଇବା ପାଇଁ କେନ୍ଦ୍ର ସରକାର କହିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦିଲ୍ଲୀ, କେରଳ, କର୍ଣ୍ଣାଟକା, ଓଡ଼ିଶା, ତାମିଲନାଡୁ ଓ ତେଲେଙ୍ଗାନା ସରକାରଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ ଆଗକୁ ପାର୍ବଣ ଆସୁଥିବା ବେଳେ ବିଭିନ୍ନ ଜନଗହଳୀପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ ହେବାର ଅଛି। ଏହି ସମୟରେ କୋରାନ ସହ ଅନ୍ୟ ସଂକ୍ରାମକ ରୋଗ ବ୍ୟାପୀବାର ଯଥେଷ୍ଟ ଆଶଙ୍କା ରହିଛି। ଏହାର ମୁକାବିଲା ପାଇଁ ସବୁ ଜିଲ୍ଲାରେ ପର୍ଯ୍ୟାପ୍ତ ସଂଖ୍ୟାରେ ଟେଷ୍ଟିଂ କରାଯାଉ।
ଉଭୟ ଆରଟି ପିସିଆର ଓ ଆଣ୍ଟିଜେନ ଟେଷ୍ଟ ସଂଖ୍ୟା ବୃଦ୍ଧି କରିବାକୁ ସଚିବ ଭୂଷଣ ପରାମର୍ଶ ଦେଇଛନ୍ତି। ଏଥିସହ ରାଜ୍ୟ ସରକାରମାନେ ଯେଉଁ ସବୁ ଜିଲ୍ଲାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଗୁଡ଼ିକ ଉପରେ ସ୍ୱତନ୍ତ୍ର ଭାବେ ନଜର ରଖନ୍ତୁ। ସଂକ୍ରମଣ ଯେମିତି ନ ବ୍ୟାପିବ, ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସେ କହିଛନ୍ତି। ଦିଲ୍ଲୀ ସରକାରଙ୍କୁ ଲେଖାଯାଇଥିବା ଚିଠିରେ ରାଜେଶ ଭୂଷଣ କହିଛନ୍ତି, ଦେଶର ରାଜଧାନୀ ଦିଲ୍ଲୀରେ ଦୈନକ ସଂକ୍ରମଣ ହାରାହାରି ୮୧୧ ରହୁଛି। ବିଗତ ଗୋଟିଏ ମାସ ହେଲା ଏପରି ସ୍ଥିତି ଜାରି ରହିବା ସହ ଅଗଷ୍ଟ ୫ରେ ଅଧିକ ୨.୦୨% ନୂଆ ମାମଲା ଚିହ୍ନଟ ହୋଇଛି। ତେଣୁ ସରକାର ସଂକ୍ରମଣ ରୋକିବାକୁ ସର୍ଭେଲାନ୍ସର ବ୍ୟବସ୍ଥା କରନ୍ତୁ।
ସେ ରାଜ୍ୟଗୁଡ଼ିକୁ ଲେଖିଥିବା ଚିଠିରେ ଆହୁରି କହିଛନ୍ତି, ବର୍ତ୍ତମାନ ଲକ୍ଷଣରେ ଅନେକ ପରିବର୍ତ୍ତନ ଆସିଛି। ତେଣୁ ଇନପ୍ଲୁଏଞ୍ଜା ଭଳି ରୋଗ ଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପଡ଼ିବ। ଜିଲ୍ଲାୱାରୀ ରୋଗୀଙ୍କୁ ଚିହ୍ନଟ କରି ଗାଇଡଲାଇନ ଅନୁସାରେ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ହେବ। ଦରକାର ପଡ଼ିଲେ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଉପଯୁକ୍ତି ପଦକ୍ଷେପ ମଧ୍ୟ ନେଇ ପାରିବେ। ମାର୍କେଟ, ଅନ୍ତଃରାଜ୍ୟ ବସଷ୍ଟାଣ୍ଡ, ସ୍କୁଲ, କଲେଜ, ରେଳ ଷ୍ଟେସନ ଭଳି ଜନଗହଳୀପୂର୍ଣ୍ଣ ଅଞ୍ଚଳରେ କୋଭିଡର ଉଚିତ ବ୍ୟବହାର କଡ଼ାକଡ଼ି ଭାବେ ପୁଣି ଲାଗୁ କରିବାକୁ ଚିଠିରେ କୁହାଯାଇଛି। ଯୋଗ୍ୟ ହିତାଧିକାରୀଙ୍କ ଟିକାକରଣ ହାରକୁ ବୃଦ୍ଧି କରିବାକୁ ମଧ୍ୟ ରାଜେଶ ଭୂଷଣ କହିଛନ୍ତି। ଦେଶରେ ବର୍ତ୍ତମାନ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯାଇଛି। ଏହା ସେପ୍ଟେମ୍ବର ୩୦ ଯାଏ ଚାଲିବ ବୋଲି ସେ ଚିଠି ଦ୍ୱାରା ସମସ୍ତଙ୍କୁ ପୁଣିଥରେ ଅବଗତ କରାଇଛନ୍ତି।
