ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା
କୋଲକାତା : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ଏହି ସାକ୍ଷାତ ବେଳେ ରାଜ୍ୟ ପାଇଁ ଏମ୍ଜିନରେଗା ଏବଂ ଜିଏସ୍ଟି ଦେୟ ସମେତ ଏକାଧିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡିଛି। ଏହା ପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିପରି ମୁଖ୍ୟମନ୍ତ୍ରୀ ବାନାର୍ଜୀ ଆସନ୍ତା ୭ରେ ଅନୁଷ୍ଠିତ ହେବାକୁ ଥିବା ନିତି ଆୟୋଗ ବୈଠକରେ ଯୋଗ ଦେବାର ସମ୍ଭାନା ରହିଛି । ଏହା ବ୍ୟତୀତ ବରିଷ୍ଠ ବିରୋଧୀ ନେତାଙ୍କ ସହ ଭେଟିବାର ସମ୍ଭାବନା ରହିଛି।
ତେବେ ପ୍ରଧାନମନ୍ତ୍ରୀଙ୍କୁ ମମତା ସାକ୍ଷାତ କାର୍ଯ୍ୟକ୍ରମକୁ ନେଇ ରାଜନୀତି ଜୋର ଧରିଛି। ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିବା ପରେ ମମତା-ମୋଦି ଭେଟଘାଟ ଖବର ଆସିଛି। ପାର୍ଥଙ୍କ ଘନିଷ୍ଟ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ବିଶାଳ ପଣିମାଣର ଟଙ୍କା ବିଡ଼ା ଜବତ ହେବା ପରେ ଗତ ସପ୍ତାହରେ ତାଙ୍କୁ ଟିଏମସି ସବୁ ପଦରୁ ବହିସ୍କାର କରିଛି। ସୂଚନା ଯେ, ୪ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୁରୁବାର ସେ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କ ଦଳର ଏମ୍ପିମାନଙ୍କୁ ଭେଟି ସଂସଦର ଅଧିବେଶନ ଏବଂ ୨୦୨୪ ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା କରିଛନ୍ତି ବୋଲି ଏକ ସୂତ୍ରରୁ ପ୍ରକାଶ ପାଇଛି।
