ଜଳସମ୍ପଦ ବିଭାଗରେ ୧୦୬ ଜୁନିୟର ଇଂଜିନିୟରଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଜଳ ସଂପଦ ବିଭାଗରେ ୧୦୬ଜଣ ନୂତନ ଜୁନିୟର ମେକାନିକାଲ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା ଭବନ କନଭେନସନ୍ ସେଂଟର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ସହିତ ନବନିଯୁକ୍ତ ଯନ୍ତ୍ରୀମାନଙ୍କୁ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ଟେକ୍ନୋଲୋଜି ମାଧ୍ୟମରେ ସମସ୍ତେ କାମ କରିବା ଆବଶ୍ୟକ । କଠିନ ପରିଶ୍ରମ ସହ ଫାଇବ-ଟି ଆଧାରରେ ସ୍ୱଚ୍ଛତା ଆଣିବାକୁ ପରାମର୍ଶ ଦେଇଛନ୍ତି ନବୀନ ।
ରାଜ୍ୟର ବିଭିନ୍ନ ନଦୀରେ ଚାଲିଥିବା ଜଳ ପ୍ରକଳ୍ପ ଉପରେ ବୁଝାଇଛନ୍ତି ମୁଖ୍ୟମନ୍ତ୍ରୀ । ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଛନ୍ତି । ଜଳ ସଂରକ୍ଷଣ ଦ୍ୱାରା ବନ୍ୟା, ବାତ୍ୟା ସମୟରେ ଜନସାଧାରଣ ଉପକୃତ ହେବେ । ଚାଷୀ ମାନେ କିପରି ସହାୟତା ପାଇବେ ସେନେଇ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ ଓ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବିଭାଗୀୟ ସଚିବ ଉପସ୍ଥିତ ଥିଲେ ।
