ରାଜ୍ୟଗୋଷ୍ଠୀ କ୍ରୀଡା: ପୁରୁଷ ଟିମ ଟେବୁଲ୍ ଟେନିସରେ ଭାରତକୁ ସ୍ୱର୍ଣ୍ଣ
ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ଟେବୁଲ ଟେନିସ ଟିମ୍ ଇଭେଣ୍ଟ ଫାଇନାଲରେ ସିଙ୍ଗାପୁରକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ଦଳ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଏହା ହେଉଛି ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ। ପୂର୍ବରୁ ଲନ ବଲ ୱମେନ ଫୋରସରେ ଭାରତୀୟ ମହିଳା ଦଳ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିଲା।
ଆଜିର ସ୍ୱର୍ଣ୍ଣ ଲଢ଼େଇର ପ୍ରଥମ ଟାଇରେ ହରମିତ ଦେଶାଇ ଓ ସାଥିୟାନ ଗଣଶେଖରନଙ୍କ ଯୋଡ଼ି ୩-୦ରେ ସିଙ୍ଗାପୁରର ୟୋଙ୍ଗ ଇଜାକ କ୍ୟୁ ଓ ୱା ପାଙ୍ଗଙ୍କୁ ହରାଇଥିଲେ। ତେବେ ଦ୍ୱିତୀୟ ଟାଇରେ ଅଭିଜ୍ଞ ଶରତ କମଲ ୩-୧ ସେଟରେ ହାରି ଯାଇଥିଲେ। ଫଳରେ ସ୍ଥିତି ୧-୧ରେ ବରାବର ହୋଇ ଯାଇଥିଲେ। ଏହାପରେ ସାଥିୟାନ ନିଜର ଏକକ ବର୍ଗରେ ଦମଦାର ପ୍ରଦର୍ଶନ କରି ୩-୧ରେ ଟାଇକୁ ଜିତି ପୁଣି ଭାରତକୁ ଆଗୁଆ କରି ଦେଇଥିଲେ। ୪ର୍ଥ ଟାଇରେ ଦେଶାଇଙ୍କ ମୁକାବିଲା ଶରତ କମଲଙ୍କୁ ହରାଇଥିବା ଝେ ଚେୱିଙ୍କ ସହ ହୋଇଥିଲା। କିନ୍ତୁ ଦେଶାଇ ନିଜର ଜଲୱା ଦେଖାଇ ତାଙ୍କୁ ୩-୦ରେ ପରାସ୍ତ କରି ଦେଇଥିଲେ। ଏଥିସହ ଆଉ ଗୋଟିଏ ଟାଇ ପୂର୍ବରୁ ହିଁ ଭାରତୀୟ ଟିମ୍ ସ୍ୱର୍ଣ୍ଣ ପଦକୁ କବଜା କରି ନେଇଥିଲା। ଏହାକୁ ମିଶାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଏଥିରେ ୫ ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ରହିଛି।
