ଯଦି ମୁଁ କହିବା ଆରମ୍ଭ କରିବି ତ ଭୂକମ୍ପ ଆସିଯିବ : ଏକନାଥ ସିନ୍ଦେ
ମୁମ୍ୱାଇ : ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ଶିବସେନା ମୁଖ୍ୟଙ୍କୁ ପରୋକ୍ଷରେ ଚେତାବନୀ ଦେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ, ଯଦି ସେ ମୁହଁ ଖୋଲନ୍ତି ତେବେ ‘ଭୂକମ୍ପ’ ଆସିଯିବ । ଜାତୀୟତାବାଦୀ କଂଗ୍ରେସ ପାର୍ଟି ଓ କଂଗ୍ରେସ ସହ ହାତ ମିଳାଇବାକୁ ଉଦ୍ଧବ ଠାକରେଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ସିନ୍ଦେ କହିଛନ୍ତି ଯେ, ସେ ଜାଣନ୍ତି ଶିବସେନା ନେତା ଆନନ୍ଦ ଦିଘେଙ୍କ ସହ କ’ଣ ହୋଇଥିଲା । ଦିଘେଙ୍କ କଥା ଉଲ୍ଲେଖ କରି ସେ କହିଛନ୍ତି ଯେ, “ମୁଁ ଏହାର ସାକ୍ଷୀ ଯେ ‘ଧର୍ମବୀର’ଙ୍କ ସହ କ’ଣ ଘଟିଥିଲା ।”
ସୂଚନାଯୋଗ୍ୟ, ୨୦୦୨ରେ ସଡ଼କ ଦୁର୍ଘଟଣା ପରେ ସିନ୍ଦେଙ୍କ ରାଜନୈତିକ ଗୁରୁ ଦିଘେଙ୍କର ମୃତ୍ୟୁ ଘଟିଥିଲା । ସିନ୍ଦେଙ୍କ ନେତୃତ୍ୱରେ ଅଧିକାଂଶ ଶିବସେନା ବିଧାୟକ ବିଦ୍ରୋହ କରିବା ପରେ ଠାକରେ ଜୁନ୍ ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ମାଲେଗାଓଁରେ ଏକ ରାଲିରେ ସିନ୍ଦେ କହିଥିଲେ ଯେ, “ବାଲାସାହେବ ଠାକରେଙ୍କ ଉତ୍ତରାଧିକାରୀ ବଞ୍ଚାଇବା ପାଇଁ ମୁଁ ବିଦ୍ରୋହ କରିଛି । ଯଦି ମୁଁ ସାକ୍ଷାତକାର ଦେବା ଆରମ୍ଭ କରେ, ତେବେ ଭୂକମ୍ପ ଆସି ଯିବ … କିଛି ଲୋକଙ୍କ ବିପରୀତ ମୁଁ ପ୍ରତିବର୍ଷ ଛୁଟି ପାଇଁ ବିଦେଶ ଯାତ୍ରା କରି ନାହିଁ ।”
ସିନ୍ଦେ କରିଛନ୍ତି ଯେ, ଶିବସେନା ପ୍ରତିଷ୍ଠାତାଙ୍କ ବୋହୂ ସ୍ମିତା ଠାକରେ ଓ ତାଙ୍କର (ବାଲାସାହେବ) ନାତି ନିହାର ଠାକରେ ତାଙ୍କୁ ସମର୍ଥନ କରିଛନ୍ତି । ବିଦ୍ରୋହୀ ବିଧାୟକମାନଙ୍କୁ ଦେଶଦ୍ରୋହୀ କୁହାଯାଉଛି । ସେ ପ୍ରଶ୍ନ କରିଛନ୍ତି, ଯେଉଁମାନେ ମୁଖ୍ୟମନ୍ତ୍ରୀ ହେବା ପାଇଁ ବାଲାସାହେବଙ୍କ ଆଦର୍ଶରେ ଆପୋଷ ବୁଝାମଣା କରିଛନ୍ତି ସେମାନଙ୍କୁ ଆପଣ କ’ଣ କହିବେ? ଆପଣ ବିଜେପି ସହ ମିଶି ନିର୍ବାଚନ ଲଢ଼ିଥିଲେ ଓ ମୁଖ୍ୟମନ୍ତ୍ରୀ ହେବା ପାଇଁ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କଲେ । ଏହା ବିଶ୍ୱାସଘାତକତା ନୁହେଁ କି? ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଓ ତାଙ୍କ ନେତୃତ୍ୱରେ ଶିବସେନା ଦଳ ଆଗାମୀ ବିଧାନସଭା ନିର୍ବାଚନରେ ୨୮୮ଟି ଆସନ ମଧ୍ୟରୁ ୨୦୦ଟି ଆସନ ଜିତିବେ ।
