ଭୁବନେଶ୍ୱରରେ ଇ-ବସ ଓ ଇ-ରିକ୍ସା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ପ୍ରଥମ ପର୍ଯ୍ୟାୟରେ ଗଡ଼ିଲା ୧୦ଟି ଇ-ବସ୍ ଓ ୫୦ଟି ଇ-ରିକ୍ସା
ଜୁଲାଇ ୩୧ ପର୍ଯ୍ୟନ୍ତ କରିପାରିବେ ମାଗଣା ଯାତ୍ରା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଏୟାରପୋର୍ଟ ଛକ ଠାରେ ଇ-ବସ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କରିଛନ୍ତି । ଗାଡି ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ସହରରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ ଓ ୫୦ ଟି ଇ-ରିକ୍ସା ଚଳାଚଳ ବ୍ୟବସ୍ଥା ଆରମ୍ଭ ହୋଇଛି । ଆଗାମୀ ଦିନରେ ୫୦ ଟି ଇ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖା ଯାଇଛି । ଲିଙ୍ଗ ସମାନତା ଉପରେ ଗୁରୁତ୍ୱ ଦିଆଯାଇ ପ୍ରତ୍ୟେକ କ୍ରୁଟ୍ ପକ୍ଷରୁ ଗାଇଡ୍ ଭାବରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତ କରାଯାଇଛି । ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ମହିଳାଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରତ୍ୟେକ ବସରେ ୩୦ ଟି ଆସନ ରହିଥିବା ବେଳେ ମହିଳା ମାନଙ୍କ ପାଇଁ ସଂରକ୍ଷିତ ଆସନ ଗୁଡ଼ିକୁ ଗୋଲାପି ରଙ୍ଗରେ ଚିହ୍ନିତ କରାଯାଇଛି ।ସୂଚନା ଯୋଗ୍ୟ ଯେ କ୍ରୁଟ୍ ପକ୍ଷରୁ ବର୍ତମାନ ୨୫୫ ଟି ଡିଜେଲ୍ ବସ ଚଳାଚଳ କରୁଛି ।
ପ୍ରଥମ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍ ଚଳାଚଳ କରିବ । ଇ-ବସ୍ଗୁଡ଼ିକ ‘ମୋ ବସ୍’ର ୪ଟି ରୁଟରେ ହିଁ ଗତି କରିବ । ସମସ୍ତ ଇ-ବସ୍ରେ ଏସି ସୁବିଧା ସହିତ, ମହିଳା ଯାତ୍ରୀମାନଙ୍କ ପାଇଁ ଗୋଲାପୀ ରଙ୍ଗର ସଂରକ୍ଷିତ ସିଟ୍ ରହିଛି । ଇ-ବସ୍ ଗାଇଡ ଭାବରେ ୫୦% ପ୍ରତିଶତ ମହିଳା ଓ ମୋ ଇ-ରାଇଡରେ ଶତପ୍ରତିଶତ ମହିଳା ଓ କିନ୍ନରଙ୍କୁ ସାରଥୀ ଭାବରେ ନିଯୁକ୍ତି ଦିଆଯାଇଛି । ଏହାଦ୍ୱାରା କ୍ରୁଟ୍ର ମୁଖ୍ୟ ଲକ୍ଷ୍ୟ ସ୍ପଷ୍ଟ ପ୍ରତିଫଳିତ ହୋଇଛି । ପ୍ରଥମ ଥର ପାଇଁ ରାଜ୍ୟରେ ଏକ ନୂତନ ପଦକ୍ଷେପ ଭାବରେ କ୍ରୁଟ୍ ପକ୍ଷରୁ ମହିଳାମାନଙ୍କୁ ‘ମୋ ବସ୍’ ଚାଳନା ପାଇଁ ସୁଯୋଗ ଦିଆଯାଇଛି । ଏହି ନୂତନ ସେବାର ଶୁଭାରମ୍ଭ ଉପଲକ୍ଷେ ସାଧାରଣ ଯାତ୍ରୀମାନେ ଜୁଲାଇ ୨୯ରୁ ୩୧ ତାରିଖ ପର୍ୟ୍ୟନ୍ତ ବିନା ଟିକେଟ୍ରେ ପ୍ରଦୂଷଣ ବିହୀନ ଇ-ବସ୍ ଯାତ୍ରାର ଅନୁଭବ ନେଇପାରିବେ । ସେହିପରି ଏହି ସେବା ଦ୍ୱାରା ୫୦୦ରୁ ଊର୍ଦ୍ଧ୍ୱ ରୋଜଗାର ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ରହିଛି । ଇ-ବସ୍ର ଟିକେଟ ମୂଲ୍ୟ ସାଧାରଣ ଏସି ବସ୍ ଟିକେଟ୍ ମୂଲ୍ୟ ସହିତ ସମାନ ରହିଛି । ଆବଶ୍ୟକ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବସ୍ ଟିକେଟ୍ ମୂଲ୍ୟରେ ରିହାତି ପୂର୍ବଭଳି ସମାନ ରହିଛି । ପ୍ରଥମ ପର୍ଯ୍ଯାୟରେ ଏହି ଇ–ବସ୍ ସେବା ରୁଟ ନମ୍ବର ୯, ୧୧, ୧୨ ଓ ୨୩ ରେ ଚଳାଚଳ କରିବ । ମୋ ଇ-ରାଇଡ ଭୁବନେଶ୍ୱରର ପଟିଆ, ପାତ୍ରପଡ଼ା ଏବଂ ପୋଖରିପୁଟ ଅଂଚଳର ବିଭିନ୍ନ ରୁଟ୍ରେ ଗଡ଼ିବା ସହିତ ଏହାର ଟିକେଟ୍ ମୂଲ୍ୟ ଫ୍ଲାଟ ୧୦ ଟଙ୍କା ରହିଛି ।
ପ୍ରାଥମିକ ପର୍ଯ୍ୟାୟରେ ଚାଲିବାକୁ ଥିବା ୧୦ଟି ଇ-ବସ୍ ୨ ମାସ ହେବ ଭୁବନେଶ୍ୱରରେ ପହଂଚି ସାରିଥିବା ବେଳେ ଟ୍ରାଏଲ୍ ରନ୍ କରାଯାଇଥିଲା । ଏହି ୧୦ଟି ଏସି ବସ୍ର ଚାଳନା ପାଇଁ ‘ମୋ ବସ୍’ର ସ୍ୱତନ୍ତ୍ର କ୍ୟାପଟେନ୍ଙ୍କୁ ଚୟନ କରାଯାଇ ତାଲିମ ପ୍ରଦାନ କରାଯାଇଛି । ବର୍ତମାନ ଭୁବନେଶ୍ୱର ସମେତ କଟକ ଓ ପୁରୀକୁ ଜାରି ରହିଥିବା ‘ମୋ ବସ’କୁ ବହୁ ପରିମାଣରେ ଆଦୃତି ମିଳିଛି । ରାଜଧାନୀ ସମେତ ଅନ୍ୟ କିଛି ସହରାଂଚଳରେ ପରିବହନ କ୍ଷେତ୍ରରେ କ୍ରୁଟ୍ର ‘ମୋ ବସ’ ସେବା ଅତ୍ୟାଧୁନିକ ଓ ଆରାମଦାୟକ ହୋଇପାରିଛି । ସହରୀ ଯାତାୟାତ ସେବାରେ ସଂସ୍କାର ଆଣିଥିବା ଏହି ସେବା ଜାତୀୟ ସ୍ତରରେ ମଡେଲ୍ ହୋଇପାରିଛି । ବର୍ତମାନ ୩୨ଟି ରୁଟ୍ରେ ଚଳାଚଳ କରୁଥିବା ୨୨୫ଟି ବସ୍ରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହର ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି । ଏହି ବସ୍ଗୁଡ଼ିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି । ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ବସ୍ ଗଡ଼ିବାକୁ ଥିବା ବେଳେ ଖୁବ୍ଶୀଘ୍ର ଆଉ ୪୦ ବସ୍ ଏଥିରେ ଯୋଡ଼ି ହୋଇ ମୋଟ୍ ୫୦ଟି ଇ-ବସ୍ ଚାଲିବ ବୋଲି ଜଣାପଡ଼ିଛି । ଏହି ସେବାରେ ଲୋକମାନେ ଇ-ରିକ୍ସା ଜରିଆରେ ମୋ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍ ଧରି ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ । ଦୀର୍ଘଦିନ ଧରି ଇ-ବସ୍ ସେବା ଆରମ୍ଭ କରିବା ପାଇଁ ଯୋଜନା ରହିଥିବା ବେଳେ କରୋନା ଏଥିରେ ବଡ଼ ଆହ୍ୱାନ ହୋଇଥିଲା ।
