ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ : ପ୍ରଥମ ଦିନରେ ପ୍ରଥମ ବିଜୟ ହାସଲ କଲା ଭାରତ
ଦକ୍ଷିଣ ଆଫ୍ରିକାକୁ ୩-୦ରେ ପରାସ୍ତ କଲା ଭାରତୀୟ ମହିଳା ଟେବୁଲ ଟେନିସ ଟିମ୍
ବର୍ମିଂହାମ : ବର୍ମିଂହାମରେ ଆରମ୍ଭ ହୋଇଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨। ଏହାର ପ୍ରଥମ ଦିନରେ ପ୍ରଥମ ବିଜୟ ହାସଲ କରିଛି ଭାରତ। ଭାରତୀୟ ମହିଳା ଟେବୁଲ ଟେନିସ ଟିମ୍ ଗ୍ରୁପ ବିର ଗୋଟିଏ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୩-୦ରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଡବଲ ଇଭେଣ୍ଟରେ ଭାରତର ମଙ୍ଗ ସମ୍ଭାଳିଥିଲେ ଶ୍ରୀଜା ଅକୁଲା ଓ ରୀତା ଟେନ୍ନିସନ। ଉଭୟ ଡବଲ୍ସ ମୁକାବିଲାରେ ଦମଦାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାର ଲାଇଲା ଏଡୱାର୍ଡସ ଓ ଡାନିଶା ପଟେଲଙ୍କୁ ୧୧-୭, ୧୧-୭ ଓ ୧୧-୫ ସେଟରେ ପରାସ୍ତ କରିଥିଲେ।
ଭାରତ ୧-୦ରେ ଲିଡ କରୁଥିବା ବେଳେ ସିଙ୍ଗଲ ମୁକାବିଲାରେ ମୈଦାନକୁ ଓହ୍ଲାଇଥିଲେ ଅଭିଜ୍ଞ ମନିକା ବାତ୍ରା। ୨୭ ବର୍ଷୀୟ ମନିକା ନିଜର ଜଳୱା ଦେଖା ଦକ୍ଷିଣ ଆଫ୍ରିକାର ମୁସଫିକ୍ୟୁ କଲାମଙ୍କୁ ଏକତରଫା ଭାବେ ପରାସ୍ତ କରିଥିଲେ। ସେ ପ୍ରଥମ ସେଟକୁ ୧୧-୫, ଦ୍ୱିତୀୟ ସେଟକୁ ୧୧-୩ ଓ ତୃତୀୟ ସେଟକୁ ୧୧-୨ରେ ଜିତି ନେଇଥିଲେ। ତୃତୀୟ ସିଙ୍ଗଲ ମୁକାବିଲାରେ ଶ୍ରୀଜା ଅକୁଲା ଦକ୍ଷିଣ ଆଫ୍ରିକାର ଡାନିଶା ପଟେଲଙ୍କୁ ପୁଣି ୩-୦ ସେଟରେ ପରାସ୍ତ କରିଥିଲେ। ଏହି ବିଜୟ ସହ ଆଉ ୨ଟି ମୁକାବିଲା ପୂର୍ବରୁ ହିଁ ଭାରତ ୩-୦ରେ ମ୍ୟାଚ ଜିତି ନେଇଛି। ଏବେ ଭାରତୀୟ ମହିଳା ଟିଟି ଟିମ୍ ରାତି ୮.୩୦ରେ ତା’ର ଦ୍ୱୀତୀୟ ମୁକାବିଲାରେ ଫିଜିକୁ ଭେଟିବ।
