ଚିଲିକାରେ ଫସିଲା ଭସାପୋଲ, ୬୦ ଯାତ୍ରୀ ଉଦ୍ଧାର
ପୁରୀ : ଆଜି ପୁଣି ଚିଲିକାରେ ଭସାପୋଲ ଅଟକି ଯିବାରୁ ସେଥିରେ ଥିବା ୬୦ ଜଣ ଯାତ୍ରୀ ମଝି ଚିଲିକାରେ ଅଟକି ରହିଥିଲେ । ସାତପଡ଼ା ଘାଟ ଭସାପୋଲ ଛାଡ଼ିବା ପରେ ମଝିବାଟରେ ଯାନ୍ତ୍ରୀକ ତ୍ରୁଟିଯୋଗୁ ଭସାପୋଲଟି ଅଟକି ରହିଥିଲା । ସେଥିରେ ୫ଟି ୪ଚକିଆ ଯାନ ସହ ବାଇକ ରହିଥିଲା । ଏହକୁ ସଜାଡ଼ିବା ପାଇଁ ଚିଲିକା ଉନ୍ନୟନ କତୃର୍ପକ୍ଷ ମେକାନିକ୍ ପଠାଇଥିଲେ । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଜହ୍ନିକୁଦା ଠାରେ ଛାଡ଼ିଥିଲେ ।
ସ୍ମରଣଯୋଗ୍ୟ ଯେ, କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବାରମ୍ବାର ଭସାପୋଲ କିଣା ଯାଉଥିଲେ ମଧ୍ୟ ତାହାପୁଣି ଅଳ୍ପ ଦିନରେ ଖରାପ ହୋଇଯାଉଛି । ଅଂଚଳବାସୀମାନେ ସବୁଦିନିଆ ବ୍ରିଜ ଦାବି କରି ବାରମ୍ବାର ଆନ୍ଦୋଳନ କରୁଥିଲେ ମଧ୍ୟ ରାଜ୍ୟ ସରକାର, ପ୍ରଶାସନ ଓ ବିଧାୟକମାନେ ଶୁଣୁ ନଥିବା ଅଭିଯୋଗ କରୁଛନ୍ତି । ଡ଼ିଜିଟାଲ ଯୁଗରେ ଏବେ ବି କୃଷ୍ଣପ୍ରସାଦ ଅଂଚଳବାସୀ ଦେଶୀ ଡ଼ଙ୍ଗାରେ ଯାଆସ କରୁଛନ୍ତି । ଗତ ନିର୍ବାଚନ ପୂର୍ବରୁ ଚିଲିକା ଉପରେ ବ୍ରିଜ୍ ଓ ପୁରୀ ସହରରେ ମାଟିଆପଡ଼ା ରେଳ ଓଭରବ୍ରିଜ୍ ଦୁଇଟି ପ୍ରସଙ୍ଗକୁ ନେଇ ବିଜେପି ବିଧାୟକମାନେ ଜୟଲାଭ କରିଥିଲେ । ପୁରୀରେ ରେଳ ଓଭରବ୍ରିଜ୍ ପାଇଁ ଜମି ଅଧିଗ୍ରହଣ ଚାଲିଥିବାବେଳେ ଚିଲିକା ଉପରେ ବ୍ରିଜ୍ ନିର୍ମାଣ ସ୍ୱପ୍ନରେ ରହିଯାଇଛି ବୋଲି ବ୍ରହ୍ମଗିରି ଅଂଚଳରେ ଆଲୋଚନା ହେଉଛି ।
