ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ
ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଅଗଷ୍ଟ ୭ତାରିଖରେ ହେବାକୁ ଥିବା ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକ ପାଇଁ ମୁଖ୍ୟମନ୍ତ୍ରୀକୁ ଆମନ୍ତ୍ରଣ କରିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ । ଏହି ଅବସରରେ ଓଡିଶାର ବିକାଶ ଓ ଆବଶ୍ୟକତା ସଂପର୍କରେ ସୁମନ ବେରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସୁମନ ବେରୀଙ୍କ ସହ ନୀତି ଆୟୋଗ ସଦସ୍ୟ ଡକ୍ଟର ଭି .କେ ପଲ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ରେଲୱେ, ଟେଲିକମ ଓ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସୁବିଧା ନେଇ ଓଡ଼ିଶାର ଦୀର୍ଘଦିନର ଦାବି ସହ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଓ ସଦସ୍ୟ ଭି.କେ ପଲଙ୍କ ସହ ଆଲୋଚନା କରିଛନ୍ତି।
ନିତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ ଓ ସଦସ୍ୟ ଡ. ବିନୋଦ କେ. ପାଉଲଙ୍କ ସହ ନିତି ଆୟାଗର ଅନ୍ୟ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସି ଗୁରୁବାର ସକାଳେ ଭୁବନେଶ୍ୱରସ୍ଥ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି । ତା’ପରେ ସେମାନେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଏକ ଉଦ୍ୟୋଗ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୫-‘ଟି’ରେ ରୂପାନ୍ତରିତ ହୋଇଥିବା ଉଚ୍ଚବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ପିପିଲିଠାରେ ଥିବା ୱେଲ୍ ନେସ୍ କେନ୍ଦ୍ର ଇତ୍ୟାଦି ସହ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ନିରୀକ୍ଷଣ କରିଥିଲେ ।
ନିତି ଆୟୋଗର ଉପାଧ୍ୟକ୍ଷ ଓଡ଼ିଶାର ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଲୋକସେବା ଭବନର କନ୍ଭେନ୍ସନ୍ ସେଂଟରରେ ଏକ ବୈଠକ କରାଯାଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଏକ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ରାଜ୍ୟରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ସଫଳତା ଉପରେ ଆଲୋକପାତ କରିଥିଲେ ।
ନିତି ଆୟୋଗର ଉପାଧ୍ୟକ୍ଷ ଏବଂ ସଦସ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟଗୁଡ଼ିକର ସଫଳତାକୁ ନେଇ ପ୍ରଶଂସା କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ବିକାଶମୂଳକ କାର୍ଯ୍ୟ ନିମନ୍ତେ ନିଆଯାଉଥିବା ଉଦ୍ୟମଗୁଡ଼ିକୁ ସେମାନେ ନିରୀକ୍ଷଣ କରିବା ସହ ସଫଳତା ନିମନ୍ତେ ଆଶ୍ୱାସନା ଦେଇଥିଲେ । ସନ୍ଧ୍ୟାରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଏବଂ ଦିଲ୍ଲୀଠାରେ ଆସନ୍ତା ଅଗଷ୍ଟ ୭ ତାରିଖରେ ହେବାକୁ ଥିବା ‘ନିତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକ’କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । ତା’ପରେ ଉପାଧ୍ୟକ୍ଷ ଓ ସଦସ୍ୟ ଭୁବନେଶ୍ୱରସ୍ଥ ଓଡ଼ିଶା କ୍ରାଫ୍ଟ ମ୍ୟୁଜିୟମ୍ ‘କଳାଭୂମି’ ପରିଦର୍ଶନ କରିଥିଲେ ।
