ଶତକରୁ ବଞ୍ଚିତ ହେଲେ ଧାୱନ
ପୋର୍ଟ ଅଫ୍ ସ୍ପେନ: କୁଇନ୍ସ ପାର୍କ ଓଭାଲରେ ଶୁକ୍ରବାର ଖେଳା ଯାଇଥିବା ମ୍ୟାଚ୍ ଆରମ୍ଭ ପୂର୍ବରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଦଳକୁ ଗୋଟିଏ ଲେଖାଏଁ ଶକ୍ତ ଝଟକା ଲାଗିଥିଲା। ଆହତ କାରଣରୁ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଦେଜା ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ। ସେହିଭଳି ଦଳକୁ ପ୍ରତ୍ୟାବର୍ତନ ଅପେକ୍ଷାରେ ଥିବା ଅଭିଜ୍ଞ ଅଲ୍ରାଉଣ୍ଡର୍ ଜାସନ୍ ହୋଲ୍ଡର କୋଭିଡ୍ ସଂକ୍ରମିତ ହେବାରୁ ଖେଳିପାରିନଥିଲେ।
ଭାରତ ପାଇଁ କିନ୍ତୁ ବାମ-ଡାହାଣ ପ୍ରାରମ୍ଭିକ ଯୋଡ଼ି ଶିଖର ଧାୱନ-ଶୁବମନ ଗିଲ୍ ବଢ଼ିଆ ଆରମ୍ଭ କରିଥିଲେ। ଘରୋଇ ଦଳର ଦିଶାହୀନ ବୋଲିଂରୁ ଫାଇଦା ଉଠାଇ ପ୍ରଥମ ୱିକେଟ୍ ପାଇଁ ୧୭.୪ ଓଭରରେ ୧୧୯ ରନ୍ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ନିଜ ନିଜର ଅର୍ଧଶତକ ମଧ୍ୟ ଜମାଇ ନେଇଥିଲେ। ନିଜ ଚତୁର୍ଥ ଦିନିକିଆରେ ଗିଲ୍ ପ୍ରଥମ ଥର ପଚାଶ ଟପିଥିଲେ ମାତ୍ର ୩୬ ବଲ୍ରୁ। ଜମି ଆସୁଥିବା ଗିଲ୍ (୬୪, ୫୩ ବଲ୍, ୬ ଚୌକା, ୨ ଛକା) ନିଜ ଭୁଲ ପାଇଁ ରନ୍ ଆଉଟ୍ ହୋଇଯାଇଥିଲେ। ଅନ୍ୟପଟେ ଅପେକ୍ଷାକୃତ ଜଗିରଖି ଖେଳୁଥିବା ଅଧିନାୟକ ଶିଖର ଧାୱନ କ୍ରମେ ଗିୟର ବଦଳାଇ ରନ୍ ହାର ବଢ଼ାଇଥିଲେ। କିନ୍ତୁ ମାତ୍ର ୩ ରନ୍ ପାଇଁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଶତକ (୯୭, ୯୯ ବଲ୍, ୧୦ ଚୌକା, ୩ ଛକା)ରୁ ବଞ୍ଚିତ ରହିଥିଲେ।
