ସାବଧାନ ! ଆପ୍ ମାଧ୍ୟମରେ ଭାରତୀୟଙ୍କୁ ଚୁନ ଲଗାଉଛି ଚୀନ, ଜାଣନ୍ତୁ କିପରି ବର୍ତ୍ତିବେ
ନୂଆଦିଲ୍ଲୀ : ରିପୋର୍ଟ ଅନୁଯାୟୀ, ଚୀନର ଲୋନ ଆପ୍ ୧୦ କୋଟିରୁ ଅଧିକ ଠକିଛି । ଏହି ଲୋନ ଆପ୍ ଗୁଡ଼ିକ କିପରି କାମ କରୁଛି ଓ ଏଥିରୁ କିପରି ନିଜକୁ ରକ୍ଷା କରିବେ ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଏକ ରିପୋର୍ଟ ଅନୁସାରେ ଦିଲ୍ଲୀ ପୋଲିସ, ଦ୍ୱାରକା ସେକ୍ଟର ୭ରେ ଥିବା ଏକ ତିନି ମହଲା କୋଠା ଉପରେ ଚଢ଼ାଉ କରିଥିଲା । ସୋଠାରୁ ଲୋନ ସ୍କାମ ଚଳାଉଥିବା ଚାରି ଜଣଙ୍କୁ ଗିରଫ କରିଛି । ଏହି ଚାରିଜଣଙ୍କୁ ଆପ ମାଧ୍ୟମରେ ଋଣ ନେଇଥିବା ବ୍ୟକ୍ତିଙ୍କଠାରୁ ଟଙ୍କା ଫେରସ୍ତ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ପୋଲିସର ସୂଚନାନୁସାରେ, ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଏହି ଅପରେସନର ମୁଖ୍ୟ ସୁତ୍ରଧର ମଧ୍ୟ ସାମିଲ ଅଛନ୍ତି ।
କିପରି କାମ କରିଥାଏ ଅନଲାଇନ୍ ଚାଇନିଜ୍ ଲୋନ୍ ଆପ୍ :
ଠକେଇ ପାଇଁ ଉଦ୍ଦିଷ୍ଟ ଏହି ଲୋନ ଆପ ଗୁଡ଼ିକର ଅପରେସନ ଖୁବ ସରଳ । ପ୍ରଥମତଃ ଏହି ଚାଇନିଜ୍ ଲୋନ ଆପ ଗୁଡ଼ିକ ଫେସବୁକ୍ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବିଜ୍ଞାପିତ ହୋଇଥାଏ । ଦ୍ୱିତୀୟତଃ ବିନା ବିନା କ୍ରେଡିଟ୍ ସ୍କୋର ଓ ପ୍ରମାଣପତ୍ରରେ ଲୋନ ପାଇଁ ପ୍ରତିଶ୍ରୁତି ଦେଇଥାଏ । ଆପ୍ ଇନଷ୍ଟଲ କରିବା ପରେ ବ୍ୟକ୍ତିଙ୍କୁ କିଛି ସାଧାରଣ ସୂଚନା, ଫଟୋ ଇତ୍ୟାଦି ଇନପୁଟ କରିବାକୁ ପଡ଼ିଥାଏ । ଏହାସହିତ ଆପଣଙ୍କ ଫୋନରେ ଗ୍ୟାଲେରୀ, କଣ୍ଟାକ୍ଟ ଆଦିର ଆସେସ ଅନୁମତି ମଧ୍ୟ ମଗାଯାଇଥାଏ । ଆବେଦନ କରିବା ପରେ ଆବେଦନକାରୀଙ୍କୁ ପ୍ରକ୍ରିୟାକରଣ ଶୁଳ୍କ କାଟି ତୁରନ୍ତ ୬,୮୭୦ ଟଙ୍କା ତୁରନ୍ତ ପ୍ରଦାନ କରାଯାଇଥାଏ ।
ଏହାପରେ, ଋଣ ଅର୍ଥ ପରିଶୋଧ କରିବା ପାଇଁ ଫୋନ ଆସିବା ଆରମ୍ଭ ହୋଇଯାଇଥାଏ । ଆବେଦନ ସମୟରେ କୌଣସି ସୁଧଦର ଘୋଷଣା ହୋଇନଥିବାରୁ ଅଧିକ ସୁଧ ଦାବି କରିଥାନ୍ତି ସ୍କାମର୍ସ । ଏପରି ହୋଇଥାଏ ପୀଡ଼ିତଙ୍କୁ ୬,୮୭୦ ଟଙ୍କା ଲୋନ ବଦଳରେ ଲକ୍ଷାଧିକ ଟଙ୍କା ସୁଝିବାକୁ ପଡ଼ିଥାଏ । ଦାବି ଅନୁସାରେ ଋଣ ନସୁଝିଲେ, ସ୍କାମର୍ସ ଫୋନ୍ କଲ ଏବଂ ମେସେଜ ମାଧ୍ୟମରେ ସେମାନଙ୍କୁ ହଇରାଣ କରିବା ସହ ଧମକ ଦେବା ଆରମ୍ଭ କରିଥାନ୍ତି । କେବଳ ଏତିକି ନୁହେଁ, ସ୍କାମରମାନେ ସେମାନଙ୍କର ଅନ୍ୟ କଣ୍ଟାକ୍ଟ ଗୁଡ଼ିକୁ ମଧ୍ୟ ଅପମାନଜନକ ମେସେଜ ପଠାଇଥାନ୍ତି ।
ପୋଲିସର ସୂଚନାନୁସାରେ, ଗିରଫ ହୋଇଥିବା ଗ୍ୟାଙ୍ଗ ଚାଇନାର ଲୋନ ଆପ୍ କମ୍ପାନି ପାଇଁ କାମ କରିଥାନ୍ତି । ସେମାନେ ଗୋଟିଏ ମାସ ମଧ୍ୟରେ ଅନେକ ଲୋକଙ୍କଠାରୁ ୧୦ କୋଟିରୁ ଅଧିକ ଟଙ୍କା ହଡପ କରିଥିବା ସ୍ୱୀକାର ମଧ୍ୟ କରିଛନ୍ତି । ଏପରିକି କିଛିଲୋକ ଏକାଧିକବାର ଋଣ ପରିଶୋଧ କରିବାକୁ ବାଧ୍ୟ ହୋଇଥିବା ଜଣା ପଡ଼ିଛି ।
ଅନଲାଇନ୍ ଲୋନ ଆପ୍ ସ୍କାମରୁ ନିଜକୁ ରକ୍ଷା କରିବେ କିପରି ?
ଷ୍ଟେପ୍ ୧: ବିଜ୍ଞାପନ ଦ୍ୱାରା ପ୍ରଲୋଭିତ ହୋଇ କୌଣସି ଆର୍ଥିକ ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ ।
ଷ୍ଟେପ୍ ୨: ଆପ୍ ଇନଷ୍ଟଲ କରିବା ପୂର୍ବରୁ ଆପ୍ ର ସୋର୍ସ ପରୀକ୍ଷା କରିବା ଜରୁରୀ ।
ଷ୍ଟେପ୍ ୩: ଲୋନ୍ ଆପ ଇନଷ୍ଟଲ ପୂର୍ବରୁ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଆପ୍ କେଉଁ ବ୍ୟାଙ୍କ୍ ଦ୍ୱାରା ସମର୍ଥିତ କିମ୍ବା NBFCରେ ପଞ୍ଜୀକୃତ ହୋଇଛି କି ନାହିଁ । କାରଣ କେବଳ RBI ଦ୍ୱାରା NBFCରେ ପଞ୍ଜିକୃତ ଆପ୍ କୁ ଲୋନ ପାଇଁ ଅନୁମତି ଦିଆଯାଇଛି ।
ଷ୍ଟେପ୍ ୪: ଆପ୍ସ ଇନଷ୍ଟଲ କରିବା ସମୟରେ କେବେବି କଣ୍ଟାକ୍ଟ, ଲୋକେସନ ଇତ୍ୟାଦି ବ୍ୟବହାର ପାଇଁ ଅନୁମତି ଦିଅନ୍ତୁ ନାହିଁ ।
ଷ୍ଟେପ୍ ୫: ସହଜ ପରିଶୋଧ ପ୍ରତିଶ୍ରୁତି, ସ୍ୱଳ୍ପ ସୁଧ ହାର ଦେଖି ପ୍ରଲୋଭିତ ହୁଅନ୍ତୁ ନାହିଁ ।
