ଲଛମନଖୁଣ୍ଟାରେ ଦନ୍ତା ଉପଦ୍ରବ, ଭାଙ୍ଗିଲା ଘର
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ଅଞ୍ଚଳରେ ବାରମ୍ବାର ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁଁ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଛନ୍ତି । ଗୁରୁବାର ରାତିରେ ଏହି ହାତୀଟି ଲଛମନଖୁଣ୍ଟାର ଜାରାସାହି, ନୁଆସାହି କଲୋନୀସାହି ଗାଁକୁ ଯାଇ ପୁଣି ଘରଦ୍ୱାର ଭାଙ୍ଗିଥିବା ଦେଖିବାକୁ ମିଳିଛି । ପୂର୍ବରୁ ହାତୀଟି ୧୦ରୁ ଉର୍ଦ୍ଧ୍ୱ ଘର ଓ ଘରର କାନ୍ଥ ଭାଙ୍ଗିଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବନବିଭାଗ ପକ୍ଷରୁ ହାତୀଟିକୁ ଗାଁରୁ ଘଉଡ଼ାଇବାକୁ ବିଫଳ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହାତୀଟି ବାଲେଶ୍ୱର ଓ ମୟୁରଭଞ୍ଜ ସୀମାରେ ରାତିରେ ଜଙ୍ଗଲରେ ରହୁଥୁବା ଜଣାପଡ଼ିଛି । ଅଧିକାଂଶ ଦିନ ହାତୀଟି ମୟୁରଭଞ୍ଜ ପଟୁ ଏହି ଗାଁକୁ ପଶି ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହୋଇଛି । ରାତିରେ ବନବିଭାଗକୁ ଗାଁ ଲୋକେ ଖବର ଦେଲେ ବିଭାଗୀୟ ଅଧିକାରୀ ହାତୀ ଘଉଡ଼ାଇବାକୁ ଅନିଚ୍ଛା ପ୍ରକାଶ କରୁଥିବା ଅଭିଯୋଗ ହୋଇଛି ।
ସୂଚନା ଯେ, ଗତ ୭ ମାସ ଧରି ବାରମ୍ବାର ରୂପସା ଅଞ୍ଚଳକୁ ହାତୀ ପଶି ଆସୁଥିବାରୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉନାହିଁ । କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି । ବନବିଭାଗ ଦ୍ୱାରା ଏଯାବତ୍ ଭାଙ୍ଗିଥିବା ଘରର ତଦନ୍ତ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
