ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ଫସି ରହିଛନ୍ତି ଶ୍ରମିକ
ପୁରୀ : ପୁରୀ ମଶାଣୀ ଚଣ୍ଡୀ ଛକ ପାଖରେ ଏକ ଅଘଟଣ ଘଟିଛି। ନିର୍ମାଣଧୀନ ଅବସ୍ଥାରେ ଥିବା ଏକ ଛାତ ଭୁଶୁଡ଼ି ପଡ଼ିଛି। ଭୁଶୁଡ଼ିଥିବା ଛାତ ତଳେ କିଛି ଶ୍ରମିକ ଫସି ରହିଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୫ ଜଣ ଆହତ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ଶ୍ରମିକଙ୍କୁ ଚିକିତ୍ସାପାଇଁ ଆମ୍ୱୁଲାନ୍ସରେ ଡାକ୍ତରଖାନାକୁ ପଠାଯାଇଛି।

ସୂଚନା ଯେ, ବାସେଳି ସାହି ଥାନା ଅନ୍ତର୍ଗତ ପୁରୀ-ବ୍ରହ୍ମଗିରି ରାସ୍ତାକଡ଼ରେ ମଶାଣିଚଣ୍ଡୀ ଛକ ନିକଟରେ ବିଭୂପ୍ରସାଦ ମିଶ୍ରଙ୍କ ଘରର ଛାତ ପାଇଁ ଢଳେଇ କାମ ଚାଲିଥିଲା। ପ୍ରାୟ ୯୦୦ ବର୍ଗ ଫୁଟର ଘରର ଛାତ କାମ ସରିବା ପୂର୍ବରୁ ଆଜି ସନ୍ଧ୍ୟାରେ ଅଘଟଣ ଘଟିଥିଲା। ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିବାରୁ ରାଜମିସ୍ତ୍ରୀ ଭରତ ଜେନା ଓ ଅନ୍ୟ ୪ ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ସେମାନେ ପୁଲିସ ଓ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଓ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ରିପୋର୍ଟ ଲେଖାଯିବା ବେଳକୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ସାରିଛି। ପୁରୀ-ବ୍ରହ୍ମଗିରି ମୁଖ୍ୟ ରାସ୍ତାକଡ଼ରେ ଘଟଣାସ୍ଥଳ ହୋଇଥିବାରୁ ଯାତାୟତରେ ସାମାନ୍ୟ ବାଧା ପହଞ୍ଚିଛି। କିନ୍ତୁ ପୁଲିସ ଏହାର ସଫଳ ମୁକାବିଲା କରି ଯାତାୟତ ବ୍ୟବସ୍ଥାକୁ ସହଜ କରିପାରିଛି।
