ସଙ୍କଟରେ ଭାରତର ଅର୍ଥନୀତି! ଡଲାର ତୁଳନାରେ ସର୍ବକାଳୀନ ଦୁର୍ବଳ ଟଙ୍କା
ନୂଆଦିଲ୍ଲୀ : ସଙ୍କଟରେ ଭାରତର ଅର୍ଥନୀତି! ଇତିହାସରେ ପ୍ରଥମ ଥର ଡଲାର ତୁଳନାରେ ୮୦ ଟପିଲା ଟଙ୍କା। ଅନେକ ଦିନ ଧରି ମାନସିକ ସ୍ତର ଭାଙ୍ଗିବାର ଲକ୍ଷଣ ଦୃଶ୍ୟମାନ ହେଉଥିଲା। କିନ୍ତୁ ମଙ୍ଗଳବାର ଟଙ୍କା ଡଲାର ପିଛା ୮୦ ଟଙ୍କାରୁ କମରେ କାରବାର ଆରମ୍ଭ କରିଥିଲା। କିନ୍ତୁ ବଜାର ଖୋଲିବାର କିଛି ମିନିଟ ମଧ୍ୟରେ ୭ ପଇସା ଦୁର୍ବଳ ହୋଇ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୮୦ ଟଙ୍କା ପାଞ୍ଚ ପଇସାକୁ ପହଞ୍ଚିଥିଲା।
ଗତ କିଛି ମାସ ହେବ ଭାରତୀୟ ମୂଦ୍ରାର ମୂଲ୍ୟ ଡଲାର ତୁଳନାରେ ଦୁର୍ବଳ ରହି ଆସିଛି। କିନ୍ତୁ ମଙ୍ଗଳବାର ଏହା ରେକର୍ଡ ସ୍ତରରେ ପହଞ୍ଚିଛି। ସୋମବାର ୭୯ ଟଙ୍କା ୯୭ ପଇସା ପ୍ରତି ଡଲାରରେ କାରବାର ବନ୍ଦ ହୋଇଥିଲା। କିନ୍ତୁ ସକାଳ ପାଇବା ବେଳକୁ ଏହା ୮୦ ଟଙ୍କା ୫ ପଇସାରେ ପହଞ୍ଚିଛି। ସକାଳ ୧୦ଟାରେ ଗୋଟିଏ ଡଲାରର ମୂଲ୍ୟ ୭୯ ଟଙ୍କା ୯୪ ପଇସାରେ କାରବାର କରୁଥିଲା।
କୁହାଯାଉଛି ଯେ, ବିଶ୍ୱ ବଜାରର ଅନିୟନ୍ତ୍ରୀତ ତେଲ ଦର ଓ ୟୁକ୍ରେନ-ଋଷ ଯୁଦ୍ଧ ପାଇଁ ଭାରତୀୟ ମୂଦ୍ରାର ମୂଲ୍ୟ ଉପରେ ପ୍ରଭାବ ପକାଇଛି। ବିଶେଷଜ୍ଞଙ୍କ ଅନୁସାରେ, ଆମେରିକାର ମହଙ୍ଗା ହାର ୪୧ ବର୍ଷରୁ ସର୍ବାଧୀକ ସ୍ତରରେ ପହଞ୍ଚିପାରେ। ଫଳରେ ଏହାର ପ୍ରଭାବ ଡଲାର ଚାହିଦା ବୃଦ୍ଧି ପାଉଛି ଆଉ ଭାରତୀୟ ମୂଦ୍ରାର ମୂଲ୍ୟ ହ୍ରାସ ପାଉଛି। ଅନ୍ୟପଟେ, ଡ଼ଲାର ତୁଳନାରେ ଟଙ୍କା ସର୍ବକାଳୀୟ ଦୁର୍ବଳ ହୋଇଥିବା ନେଇ ଶାସକ ବିଜେପି ଉପରେ ବିରୋଧି ଆକ୍ରାମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୨୦୧୪ରେ ଡଲାର ତୁଳନାରେ ଭାରତୀୟ ମୂଦ୍ରାର ମୂଲ୍ୟ ୬୦ ଟଙ୍କା ୯୯ ପଇସା ଥିଲା। ବର୍ତ୍ତମାନ ଏହା ୮୦ ଟଙ୍କା ପାର କରିଛି। ଆଗାମୀ ଦିନରେ ଭାରତରେ ଶ୍ରୀଲଙ୍କ ଭଳି ଆର୍ଥିକ ସଙ୍କଟ ଦେଖାଯିବାର ଆଶଙ୍କା ଅଛି ବୋଲି ବିରୋଧି ଦଳର ନେତାମାନେ ମତବ୍ୟକ୍ତ କରିଛନ୍ତି।
