ଆରଡି ବିଭାଗ ସହକାରୀ ଯନ୍ତ୍ରୀଙ୍କ ୨୮ ପ୍ଳଟ ଠାବ, ମୂଲ୍ୟ ଦେଢ କୋଟିରୁ ଅଧିକ
ଭୁବନେଶ୍ୱର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡର ସମ୍ମୁଖୀନ ହୋଇଥିବା ନିମାପଡ଼ା ଆରଡି ବିଭାଗ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ବିପୁଳ ସଂପତ୍ତି ଠାବ ହୋଇଥିବା ସୂଚନା ମିଳିଛି । ଏଯାବତ ଭିଜିଲାନ୍ସ ଠାବ କରିଥିବା ସଂପତ୍ତି ମଧ୍ୟରେ ୨୮ଟି ପ୍ଲଟ ରହିଛି । ଭୁବନେଶ୍ୱରରେ ୭ଟି ଓ ଢେଙ୍କାନାଳରେ ୨୧ ପ୍ଲଟ ଠାବ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଏକ ୩ ମହଲା କୋଠା ବି ଠାବ ହୋଇଛି । ଏଥିସହିତ ଢେଙ୍କାନାଳର ଅର୍ଦ୍ଧନିର୍ମିତ ଘରେ ମଧ୍ୟ ଭିଜିଲାନ୍ସର ଚଢାଉ ଜାରି ରହିଛି ।
ବର୍ତ୍ତମାନ ସୁଦ୍ଧା ଦୁଷ୍ମନ୍ତଙ୍କର ଜବତ ହୋଇଥିବା ୨୮ଟି ପ୍ଲଟର ମୁଲ୍ୟ ହେଉଛି ପ୍ରାୟ ୧କୋଟି ୫୪ ଲକ୍ଷ ଟଙ୍କା । ଏହା ବ୍ୟତୀତ ଚଢାଉ ସମୟରେ ନଗଦ ୧ ଲକ୍ଷ ୫୮ ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ । ସେହିପରି ବ୍ୟାଙ୍କରେ ୪୭ ଲକ୍ଷ ୬୫ ହଜାର ଟଙ୍କାର ଇନ୍ସୁରାନ୍ସ ହୋଇଥିବା ବେଳେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ୩ ମହଲା କୋଠା ମଧ୍ୟ ଦୁଷ୍ମନ୍ତଙ୍କ ନାଁରେ ରହିଛି । ଏତଦ୍ ବ୍ୟତୀତ ଢେଙ୍କାନାଳରେ ୨ ମହଲା କୋଠା ସହିତ ଗାଁରୁ ମଧ୍ୟ ଏକ କୋଠା ଠାବ କରିଛି ଭିଜିଲାନ୍ସ ଡିପାର୍ଟମେଣ୍ଟ । ତେବେ ଭିଜିଲାନ୍ସର ଏହି ରେଡରେ ମୋଟ ୫ ଜଣ ଡିଏସପିଙ୍କ ସମେତ ୧୨ ଜଣ ଇନ୍ସପେକ୍ଟର ସାମିଲ ରହିଛନ୍ତି । ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତଙ୍କ ଘର ଏବଂ କାର୍ଯ୍ୟାଳୟକୁ ମିଶାଇ ମୋଟ ୭ଟି ସ୍ଥାନରେ ଏକା ସାଙ୍ଗରେ ଚଢାଉ ଜାରି ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭିଜିଲାନ୍ସ ଚଢାଉ ଜାରି ରଖିଥିବା ସୂଚନା ରହିଛି ।
