ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଅବମାନନା କାରଣରୁ ବିଜୟ ମାଲ୍ୟାଙ୍କୁ ୪ ମାସର ଜେଲଦଣ୍ଡ ଦିଆଯାଇଛି । କୋର୍ଟ ଏକ ମାମଲାର ଶୁଣାଣି କରି ମାଲ୍ୟାଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି । ଏହାସହ ୨ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ମାଲ୍ୟା ଜରିମାନା ଦେବାରେ ବିଫଳ ହୁଅନ୍ତି ତେବେ ଅଧିକ ୨ ମାସ ଜେଲଦଣ୍ଡ ଭୋଗିବାକୁ ହେବ । କେବଳ ଏତିକି ନୁହେଁ କୋର୍ଟ ମାଲ୍ୟାଙ୍କୁ ବିଦେଶକୁ ପଠାଇଥିବା ୪୦ ମିଲିୟନ ଡଲାର ୪ ସପ୍ତାହରେ ପ୍ରଦାନ କରିବାକୁ ଆଦେଶରେ କହିଛନ୍ତି । ଏପରି ନକଲେ ମାଲ୍ୟାଙ୍କ ସମ୍ପତି ଜବତ ହେବ ଓ ଅଧିକାରୀ ଯେକୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ୱତନ୍ତ୍ର ପଦକ୍ଷେପ ନେଇପାରିବେ ବୋଲି କହିଛନ୍ତି କୋର୍ଟ ।
ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ପୀଛ ଏହି ମାମଲାର ଶୁଣାଣି କରିଥିଲେ । ଏହି ମାମଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଦାଖଲ ହୋଇଥିଲା । କାରଣ କୋର୍ଟଙ୍କ ଆଦେଶ ସତ୍ୱେ ମାଲ୍ୟା ବକୈୟା ରାଶି ପଇଠ କରିନଥିଲେ । କୋର୍ଟ ମାର୍ଚ୍ଚ ୧୦ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ପୂର୍ବରୁ ୨୦୧୭ ମସିହା ମେ ମାସରୁ କୋର୍ଟ ଅବମାନନା କାରଣରୁ ମାଲ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ‘ଯେଉଁଥିରେ କୋଟି କୋଟି ଟଙ୍କାର ଠକି ମାଲ୍ୟା ବିଦେଶ ପଳାଇଥିଲେ ଓ ବ୍ୟାଙ୍କ ଋଣ ସୁଝିନଥିବା ମାମଲା ରହିଥିଲା ।
