ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଓ କୋଭିଡ ପରିଚାଳନା ଓ ଜଳବାୟୁ ପରିବର୍ତ୍ତନ ପାଠ : ମନ୍ତ୍ରୀ
ଭୁବନେଶ୍ୱର : ସ୍କୁଲମାନଙ୍କରେ କୋଭିଡ ପରିଚାଳନା ଓ ଜଳବାୟୁ ପରିବର୍ତ୍ତନ ପାଠ ପଢାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ୨୦୨୨-୨୩ ଶିକ୍ଷାବର୍ଷରୁ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେହିପରି ଏଥର ମାଟ୍ରିକ ପାଇଁ ୧୦୦ ପ୍ରତିଶତ ସିଲାବସରେ ପଢାଯିବ ସହ ପରୀକ୍ଷାର୍ଥୀ ୧୦୦ମାର୍କ ଉପରେ ପରୀକ୍ଷା ଦେବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ସେହିପରି ସମ୍ମେଟିଭ-୧ ଓ ସମ୍ମେଟିଭ-୨ ଅନୁସାରେ ପରୀକ୍ଷା କରାଯିବ ।
ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏବର୍ଷ କୋଭିଡ୍ ମହାମାରୀ ଏବଂ ଏହାର ପରିଚାଳନା ସମ୍ପର୍କିତ ପାଠ ପଢ଼ିବେ। ଦଶମ ଶ୍ରେଣୀର ପିଲାମାନଙ୍କ ପାଇଁ କୋଭିଡ ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇଛି । କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।ଏଥିଲାଗି ଚଳିତ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀର ଜୀବ ବିଜ୍ଞାନ ପାଠ୍ୟପୁସ୍ତକରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ପକ୍ଷରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଜୀବ ବିଜ୍ଞାନ ବହିରେ ପୂର୍ବରୁ ୧୦ଟି ବିଷୟ ରହିଥିବା ବେଳେ ଏବେ ବିଶ୍ୱ ମହାମାରୀ-କୋଭିଡ୍ ୧୯ ଓ ତାହାର ପରିଚାଳନା ନାମକ ଏକ ନୂତନ ଅଧ୍ୟାୟ ଯୋଡ଼ା ହୋଇଛି । ଫଳରେ ଚଳିତ ବର୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଜୀବ ବିଜ୍ଞାନରେ ଉକ୍ତ ୧୧ଟି ଅଧ୍ୟାୟ ପଢ଼ି ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
ସେହିପରି ଭୂଗୋଳ ବହିରେ ମଧ୍ୟ ଆଉ ଏକ ଅଧ୍ୟାୟ ଅନ୍ତର୍ଭୁକ୍ତ କରାଯାଇଥିବାର ସୂଚନା ମିଳିଛି । ଜଳବାୟୁ ଜନିତ ବିପତ୍ତି ଏବଂ ପରିଚାଳନା ଜନିତ ଏକ ନୂତନ ଅଧ୍ୟାୟ ବହିରେ ଯୋଡ଼ା ହୋଇଛି । ସଂସ୍କୃତ ବହିରେ ଥିବା ଶୃଗାଳ ଶିଶୁ କଥା ଅଧ୍ୟାୟ ପୂର୍ବରୁ ପଢ଼ା ଯାଉନଥିବା ବେଳେ ଚଳିତ ଶିକ୍ଷାବର୍ଷରେ ସଂସ୍କୃତ ଇଚ୍ଛାଧିନ ବିଷୟ ରଖିଥିବା ଛାତ୍ରଛାତ୍ରୀମାନେ ଉକ୍ତ ବିଷୟଟି ପଢ଼ିବେ ବୋଲି ସୂଚନା ମିଳିଛି । କୋଭିଡ୍ ରୋଗ ଏବଂ ଏହାର ପରିଚାଳନା ପାଠ ପଢ଼ିଲେ ପିଲାମାନେ ଅନେକ ଶିକ୍ଷା ଲାଭ କରିବା ସହ ସେମାନଙ୍କ ପରିବାର ଏବଂ ସମ୍ପର୍କୀୟମାନେ ମଧ୍ୟ ସଚେତନ ହୋଇପାରିବେ ବୋଲି ଶିକ୍ଷାବିତ୍ମାନେ ମତ ଦେଇଛନ୍ତି ।
