ୱିମ୍ବଲଡନ ଗ୍ରାଣ୍ଡସ୍ଲାମ୍ରେ ଇତିହାସ ରଚିଲେ ଏଲେନା ରିବକିନା, କାଜାଖସ୍ତାନର ପ୍ରଥମ ଖେଳାଳି ଭାବେ ହାତେଇଲେ ଟାଇଟଲ୍
ଲଣ୍ଡନ : ଚଳିତ ୱିମ୍ବଲଡନ ଗ୍ରାଣ୍ଡସ୍ଲାମ୍ରେ ଇତିହାସ ରଚିଛନ୍ତି ଏଲେନା ରିବକିନା । କାଜାଖସ୍ତାନର ପ୍ରଥମ ଖେଳାଳି ଭାବେ ସେ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତି । ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ସେ ତୃତୀୟ ସିଡ୍ ଟ୍ୟୁନିସିଆ ଖେଳାଳି ଓନ୍ସ ଜାବେଓରଙ୍କୁ ୩-୬, ୬-୨, ୬-୨ ସେଟ୍ରେ ପରାସ୍ତ କରିଥିଲେ । ଉଭୟ ଖେଳାଳି ଏହା ପୂର୍ବରୁ କୌଣସି ଗ୍ରାଣ୍ଡସ୍ଲାମ୍ ଫାଇନାଲ ଖେଳି ନଥିଲେ । ଉଭୟ ଦେଶ ପାଇଁ ଗୌରବପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି ହେବାର ସୁଯୋଗ ରହିଥିଲା । ମାନ୍ୟତା ତାଲିକାର ତୃତୀୟ ସ୍ଥାନରେ ରହିଥିବା ଜାବେଓରଙ୍କୁ ଟାଇଟଲ ଦାବିଦାର ରୂପେ ଗଣନା କରାଯାଉଥିଲା । ରିବକିନା ସମସ୍ତଙ୍କୁ ଚକିତ କରିଦେଇଥିଲେ । ସେମି ଫାଇନାଲ୍ରେ ସିମୋନା ହାଲେପଙ୍କୁ ପରାସ୍ତ କରିବା ପରେ ରିବକିନାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।
ଶନିବାର ଫାଇନାଲ୍ ମ୍ୟାଚ୍ ଦେଖିବାକୁ ଆସିଥିବା ଦର୍ଶକ ଜାବେଓରଙ୍କୁ ଯଥେଷ୍ଟ ସମର୍ଥନ କରୁଥିଲେ । ମ୍ୟାଚ୍ ଆରମ୍ଭରୁ ଜାବେଓର ପ୍ରଭାବ ବିସ୍ତାର କରି ଖେଳି ପ୍ରଥମ ସେଟ୍ ଅକ୍ତିଆର କରିଥିଲେ । ଦ୍ୱିତୀୟ ସେଟ୍ରେ ରିବକିନା ଲୟକୁ ଫେରିବା ପରେ ମ୍ୟାଚ୍ର ରୂପରେଖ ବଦଳି ଯାଇଥିଲା । ଜାବେଓରଙ୍କ ପକ୍ଷରେ ପଏଣ୍ଟ ହାତେଇବା କଷ୍ଟକର ହେଇଯାଇଥିଲା । ଶକ୍ତିଶାଳୀ ସର୍ଭିସ ସାଙ୍ଗକୁ ନିଖୁଣ ବେସ ଲାଇନ ଆକ୍ରମଣ ବଳରେ ରିବକିନା ପରବର୍ତ୍ତୀ ୨ଟି ସେଟ୍ ଜିତି ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ । ସମ୍ପୂର୍ଣ୍ଣ ମ୍ୟାଚ୍ରେ ସେ ୪ଟି ବ୍ରେକ ପଏଣ୍ଟ ହାସଲ କରିଥିଲେ । ଜାବେଓରଙ୍କ ନିକଟରେ ମଧ୍ୟ ଇତିହାସ ରଚିବାର ସୁଯୋଗ ଥିଲା ।
ଟେନିସ୍ ଇତିହାସରେ ପ୍ରଥମ ଆଫ୍ରକୀୟ ମହିଳା ଓ ପ୍ରଥମ ଆରବ ଖେଳାଳି ଭାବେ ଜାବେଓର ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିବା ପାଇଁ ସବୁ ଶକ୍ତି ଖଟାଇ ଦେଇଥିଲେ । ହେଲେ ରିବକିନାଙ୍କ ଖେଳ ଆଗରେ ସବୁ ଫିକା ପଡ଼ିଯାଇଥିଲା । ପ୍ରଥମ ସେଟ୍ ପରାଜିତ ହେବା ପରେ ରିବକିନା ଅବିଶ୍ୱସନୀୟ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏକସଙ୍ଗେ ୭ଟି ବ୍ରେକ୍ ପଏଣ୍ଟ ବଞ୍ଚାଇବା ସହ ୧ଘଣ୍ଟା ୪୭ ମିନିଟ୍ ମଧ୍ୟରେ ମ୍ୟାଚ୍ ଜିତିଥିଲେ । ଜାବେଓରଙ୍କ ୧୧ମ୍ୟାଚ୍ ବିଜୟ ଧାରାରେ ପୂର୍ଣ୍ଣଛେଦ ପଡିଥିଲା ।
୨୩ ବର୍ଷ ବୟସରେ ରିବକିନା ୱିମ୍ବଲଡନ ଟାଇଟଲ ଜିତିଛନ୍ତି । ୨୦୧୧ ପରେ କନିଷ୍ଠ ଖେଳାଳି ଭାବେ ସେ ୱିମ୍ବଲଡନ ଚାମ୍ପିଅନ୍ ହୋଇଛନ୍ତି । ୧୧ ବର୍ଷ ତଳେ ପେଟ୍ରା ଭିଟୋଭା କନିଷ୍ଠ ଖେଳାଳି ଭାବେ ଏହି ଟାଇଟଲ ହାସଲ କରିଥିଲେ । ଶେଷ ଥର ପାଇଁ ୱିମ୍ବଲଡନ ଫାଇନାଲ୍ରେ ପ୍ରଥମ କରି ପହଞ୍ଚିଥିବା ଖେଳାଳି ହେଲେ କାରେନ ହାଞ୍ଜ ସୁସମାନ ଓ ଭେରା ସୁକୋଭା । ୧୯୬୨ ୱିମ୍ବଲଡନ୍ ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ଉଭୟଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ସୁକୋଭାଙ୍କୁ ହରାଇ ସୁସମାନ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲେ । ୬୦ ବର୍ଷ ପରେ ରିବକିନା ଓ ଓନ୍ସ ଜାବେଓର ପ୍ରଥମ କରି ୱିମ୍ବଲଡନ ଫାଇନାଲ୍ ଖେଳିଲେ । ଏହା ପୂର୍ବରୁ ରିବକିନା ଓ ଜାବେଓର ପରସ୍ପରକୁ ୨ଥର ଭେଟିଥିଲେ । ଏଥିରୁ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିଲେ । ୨୦୧୯ ଉହାନ ଓପନରେ ରିବକିନା ୬-୧, ୬-୭, ୬-୨ ସେଟ୍ରେ ବିଜୟୀ ହୋଇଥିଲେ। ୨୦୨୧ ଦୁବାଇ ଓପନରେ ଜାବେଓର ୭-୬, ୪-୬, ୬-୨ ସେଟ୍ରେ ବିଜୟ ହାସଲ କରିଥିଲେ।
